୧୬ ଜିଲାରେ କାର୍ଯ୍ୟ କରୁଛି ୧୭ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ଆକ୍ରାନ୍ତଙ୍କୁ କିପରି ସ୍ବତନ୍ତ୍ର ଚିକିତ୍ସା ମିଳିପାରିବ ସେଥିପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ଖୋଲାଯାଇଛି। ଏଥିପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ଓ ଅନେକ କମ୍ପାନୀ ସହଯୋଗର ହାତ ବଢ଼ାଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬ ଜିଲାରେ ୧୭ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ ବା ସ୍ବାସ୍ଥ୍ୟ ଯତ୍ନ କେନ୍ଦ୍ର କାର୍ଯ୍ୟ କରୁଛି। ଏହିସବୁ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ଗଜପତି, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, କଟକ, ସୁନ୍ଦରଗଡ଼, ଭଦ୍ରକ, ରାୟଗଡ଼ା, ମାଲକାନଗିରି, ଢେଙ୍କାନାଳ, ବୌଦ୍ଧ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ କୋରାପୁଟ ଜିଲାରେ କାର୍ଯ୍ୟ କରୁଥିବାବେଳେ ମୋଟ ଶଯ୍ୟା ସଂଖ୍ୟା ୨୭୯୦ ରହିଛି। ନବରଙ୍ଗପୁରଠାରେ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ସ୍ଥାପନ ନିମନ୍ତେ ନବରଙ୍ଗପୁର ଜିଲାପାଳ, ନାଲ୍‌କୋ ଓ ସ୍ଥାନୀୟ ଖ୍ରୀଷ୍ଟିଆନ୍‌ ହସ୍ପିିଟାଲ୍‌ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବା ସୂଚନା ଦିଆଯାଇଛି।