୧୬୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଜେଲ ଗଲେ

ଖୋର୍ଦ୍ଧା ଅଫିସ,୧୮।୧୧: କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନା ଶ୍ରୀବିହାରରୁ ଆନନ୍ଦ ପଶ୍ଚିମ କବାଟ(୪୬)ଙ୍କଠାରୁ ୧୬୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାର ଦାମ୍‌ ପ୍ରାୟ ୧୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ୧୦ ଜଣିଆ ଟିମ୍‌ ବଲାଙ୍ଗୀର-ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବାବେଳେ ସୋମବାର ପୂର୍ବାହ୍ନରେ ଚଣ୍ଡିଚୁଆରୁ ଆନନ୍ଦଙ୍କଠାରୁ ୧୬୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଥିଲା।
ସେହିପରି ଘର ଉପରେ ଚଢ଼ାଉ କରାଯାଇ ଅନୁରୂପ ଭାବେ ୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାର ପୁଡିଆ କରି ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିଲା। ଏନେଇ ୧୫୩/୧୯-୨୦ରେ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ମୋକଦ୍ଦମା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଆନନ୍ଦଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି । ଆନନ୍ଦ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ବ୍ୟବସାୟ କରୁଥିଲେ। ଅନ୍ୟପକ୍ଷରେ ଖୋର୍ଦ୍ଧା ସହରରେ ବ୍ରାଉନ୍‌ସୁଗାର କାରବାର ଚାଲିଥିବାରୁ ଚଢ଼ାଉକୁ ତ୍ୱରାନ୍ବିତ କରାଯାଇଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି ।