୧୫ ଲକ୍ଷ କୋଟିର କୃଷି ଋଣ

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଦେବା ପାଇଁ ଯୋଜନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହା ୧୩.୫ ଲକ୍ଷ କୋଟି ଟଙ୍କା ଥିବାବେଳେ ଏଥିରେ ୧୧% ବୃଦ୍ଧି କରାଯାଇଛି। ଚାଷୀମାନଙ୍କୁ ସାଧାରଣତଃ ୯% ହାରରେ କୃଷିଋଣ ଦିଆଯାଇଥାଏ। କିନ୍ତୁ ସରକାର ଏଥିରେ ୨% ସବ୍‌ସିଡି ଦେଉଛନ୍ତି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପକାଳୀନ କୃଷିଋଣକୁ ସୁନିଶ୍ଚିତ କରିବା ଲାଗି ଋଣ ଉପରେ ବାର୍ଷିକ ଆକର୍ଷଣୀୟ ୭% ସୁଧ କଷାଯାଉଛି। ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ(ଏନ୍‌ଏଫ୍‌ଏସ୍‌ସି) ଏବଂ ସମବାୟଗୁଡ଼ିକ କୃଷିଋଣ ପ୍ରଦାନ କ୍ଷେତ୍ରରେ ସକ୍ରିୟ ଥିବାରୁ ନାବାର୍ଡ ପୁନଃ ଋଣ ପ୍ରଦାନ ଯୋଜନାକୁ ଆହୁରି ବିସ୍ତୃତ କରାଯିବ। ଏଥିଲାଗି ନେଗୋସିଏବୁଲ ଓ୍ବେରହାଉସିଂ ରିସିପ୍ଟସ (ଇ-ଏନ୍‌ଡବ୍ଲ୍ୟୁଆର୍‌) ୬ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱକୁ ଅତିକ୍ରମ କରିଛି। ଏହାକୁ ଇଲେକ୍ଟ୍ରୋନିକ ନ୍ୟାଶନାଲ ଏଗ୍ରିକଲ୍‌ଚର ମାର୍କେଟ (ଇଏନ୍‌ଏଏମ୍‌) ସହ ଯୋଡ଼ାଯିବ। ସରକାରଙ୍କ ଅଧୀନ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ଏବଂ କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲ୍ୟୁସି) ନିଜ ଜମିରେ ଏପରି ପଣ୍ୟାଗାରଗୁଡ଼ିକୁ ନିର୍ମାଣ କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ ପ୍ରାୟ ୧୬୨ ମେଟ୍ରିକ୍‌ ଟନ୍‌ ଧାରଣ କ୍ଷମତାର ଏଗ୍ରି-ଓ୍ବେର୍‌ହାଉସିଂ, କୋଲ୍ଡ ଷ୍ଟୋରେଜ, ରିଫର ଭ୍ୟାନ୍‌ ଫାସିଲିଟି ରହିଛି। ନାବାର୍ଡ ସେଗୁଡ଼ିକୁ ମ୍ୟାପିଂ ଓ ଜିଓ-ଟ୍ୟାଗ୍‌ କରିବା ପାଇଁ ପଦକ୍ଷେପ ନେବ।

Share