Categories: ବାଣିଜ୍ୟ

୧୫ମାସରେ ଉଠିଯିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନିର୍ମାଣ ଖର୍ଚ୍ଚ

ନୂଆଦିଲ୍ଲୀ,୨୧-୬: ଦେଶର ପ୍ରଥମ ଇଞ୍ଜିନବିହୀନ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ମାସକୁ ୭ କୋଟି ଟଙ୍କା ଆୟ କରୁଛି। ଏଭଳି ହାରରେ ଆୟ ହୋଇଚାଲିଲେ ଆସନ୍ତା ୧୨ରୁ ୧୫ ମାସ ମଧ୍ୟରେ ଏହି ଟ୍ରେନ ନିର୍ମାଣରେ ହୋଇଥିବା ଖର୍ଚ୍ଚ ଆଦାୟ ହୋଇଯିବ ବୋଲି ମନେ କରାଯାଉଛି। ଚଳିତବର୍ଷ ଫେବୃୟାରୀ ୧୫ରେ ଏହି ଟ୍ରେନର ପ୍ରଚଳନ ହୋଇଥିଲା। ସିଆଇଆଇ ଦ୍ୱାରା ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ରେଲଓ୍ବେ ବୋର୍ଡ ସଦସ୍ୟ ରାଜେଶ ଅଗ୍ରଓ୍ବାଲ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସ(ଟ୍ରେନ ୧୮)ର ନିର୍ମାଣ ଲାଗି ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବର୍ତ୍ତମାନ ଆଗାମୀ କିଛି ଦିନ ଲାଗି ଟ୍ରେନର ସମସ୍ତ ସିଟ୍‌ ରିଜର୍ଭେଶନ ହୋଇସାରିଛି। ଏହି ଟ୍ରେନ ଦିଲ୍ଲୀରୁ ବାରାଣସୀ ସପ୍ତାହକ ୫ ଦିନ ଯାତାୟାତ କରୁଛି। ତେବେ ଏହି ଟ୍ରେନର ଯାତ୍ରୀଙ୍କୁ ଟିକେଟ ମୂଲ୍ୟ ଉପରେ କୌଣସି ସବ୍‌ସିଡି ଦିଆଯାଏ ନାହିଁ। ସେହିପରି ଅନ୍ୟ ଟ୍ରେନ ଅପେକ୍ଷା ଏହାର ଟିକେଟ ମୂଲ୍ୟ ମଧ୍ୟ ଅଧିକ। ପୂର୍ବରୁ ଟ୍ରେନରେ ଆତଯାତ ହେଉ ନ ଥିବା ବ୍ୟକ୍ତିବିଶେଷ ଏବେ ଏହି ଟ୍ରେନରେ ଯିବାଆସିବା କରୁଛନ୍ତି ବୋଲି ଅଗ୍ରଓ୍ବାଲ କହିଛନ୍ତି। ତେବେ ଏହି ଟ୍ରେନ ନିର୍ଦ୍ଧାରିତ ଘଣ୍ଟାପ୍ରତି ୧୬୦କିମି ବେଗରେ ଯାତାୟାତ କରୁନାହିଁ। ରେଲଓ୍ବେ ଟ୍ରାକ୍‌ ଓ ଅନ୍ୟ କାରଣରୁ ସ୍ପିଡ୍‌ ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି।

Share