Categories: ଖେଳ

୧୪ ଭାରତୀୟ ଖେଳାଳିଙ୍କୁ କୋଚିଂ ଦେବେ କ୍ରାମ୍‌ନିକ୍‌

ଚେନ୍ନାଇ, ୩୦ା୧୨ (ପି.ଟି.): ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏବଂ ଆର. ପ୍ରଗ୍ନାନନ୍ଧାଙ୍କ ସମେତ ୧୪ଜଣ ଯୁବ ଭାରତୀୟ ଚେସ୍‌ ଖେଳାଳିଙ୍କୁ କୋଚିଂ ଦେବେ ପୂର୍ବତନ ବିଶ୍ୱଚାମ୍ପିୟନ ଭ୍ଲାଡିମିର କ୍ରାମ୍‌ନିକ। ଏଥିଲାଗି ଚେନ୍ନାଇରେ ଜାନୁୟାରୀ ୮ରୁ ଏକ ୧୦ ଦିନିଆ କ୍ୟାମ୍ପର ଆୟୋଜନ କରାଯାଇଛି। ମାଇକ୍ରୋସେନ୍ସ ପକ୍ଷରୁ ଏଭଳି କ୍ୟାମ୍ପ ଦ୍ୱିତୀୟ ଥର ପାଇଁ ଆୟୋଜନ କରାଯାଇଛି। ପୂର୍ବତନ ବିଶ୍ୱ ଟାଇଟଲ ଚ୍ୟାଲେଞ୍ଜର ବୋରିସ୍‌ ଗେଲ୍‌ଫାଣ୍ଡ ମଧ୍ୟ ଏହି କ୍ୟାମ୍ପରେ ଭାରତୀୟ ଖେଳାଳିଙ୍କୁ ଟ୍ରେନିଂ ଦେବେ। କ୍ରାମନିକ ଅଗଷ୍ଟରେ ଫ୍ରାନ୍ସରେ ଏକ କ୍ୟାମ୍ପ ପରିଚାଳନା କରିଥିଲେ। ଏଥିରେ ସେ ୮ଜଣ ଖେଳାଳିଙ୍କୁ ତାଲିମ ଦେଇଥିଲେ। ଚେନ୍ନାଇରେ ଆୟୋଜିତ ରେସିଡେନ୍‌ସିଆଲ କ୍ୟାମ୍ପରେ ୮ଜଣ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିବେ। ଅବଶିଷ୍ଟ ସମସ୍ତେ ହେଉଛନ୍ତି ଇଣ୍ଟରନ୍ୟାଶନାଲ ମାଷ୍ଟର। ଏଥିରେ ଦୁଇ ଜଣ ବାଳିକା ଖେଳାଳି ମଧ୍ୟ ରହିଛନ୍ତି। ଭାରତୀୟ ଖେଳାଳିଙ୍କୁ ପୁଣି ତାଲିମ ଦେବାର ସୁଯୋଗ ପାଇଥିବାରୁ ମୁଁ ଖୁସି ବୋଲି କ୍ରାମ୍‌ନିକ କହିଛନ୍ତି।

Share