୧୪ ବର୍ଷର ବାଳିକା ୮ ମାସର ଗର୍ଭବତୀ: ୬୦ ବର୍ଷର ବ୍ୟକ୍ତି କୋର୍ଟ ଚାଲାଣ

ଜୁନାଗଡ଼,୧।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ୧୪ ବର୍ଷର ବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ୬୦ ବର୍ଷର ବ୍ୟକ୍ତିଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ଡମ୍ବରୁ ମାଝି। ତେବେ ନାବାଳିକା ଜଣକ ଏବେ ୮ ମାସର ଗର୍ଭବତୀ ଥିବା ଜଣାପଡିଛି।
ପ୍ରକାଶ ଯେ, ଡମ୍ବରୁ ବିଭିନ୍ନ ସମୟରେ ଗୁଣିଗାରେଡି କରିବା ପାଇଁ ନାବାଳିକାଙ୍କ ଘରକୁ ଯିବାଆସିବା କରୁଥିଲେ। ନାବାଳିକାଙ୍କୁ ବଳାତ୍କାର କରିବା ପରେ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଧମକ ଦେଇଥିଲେ। ତାଙ୍କ ପରିବାର ଘଟଣା ସମ୍ପର୍କରେ ଜାଣି ମଧ୍ୟ ଭୟରେ ଥାନାରେ ଅଭିଯୋଗ କରି ନ ଥିଲେ। ତେବେ ତାଙ୍କ ଭାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ସେ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିପାରି ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ। ପୋଲିସ ଏସ୍‌ଆଇ ଥବିର ବରିହା ଏକ ମାମଲା ରୁଜୁକରି ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରିଥିଲେ। ଶନିବାର ପୋକ୍ସୋ ଆକ୍ଟରେ ଅଭିଯୁକ୍ତଙ୍କୁ ଭବାନୀପାଟଣା କୋର୍ଟକୁ ଚାଲାଣ କରାଯାଇଛି।