୧୪ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭ ନ ଆସିଲେ ରେଡ୍‌ ଜୋନ୍‌ ହେବ ଅରେଞ୍ଜ

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ନେଇ ଯେଉଁ ସବୁ ସ୍ଥାନକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି ସେଠାରେ ୧୪ ଦିନ ପର୍ଯ୍ୟନ୍ତ ଯଦି କୌଣସି ସଂକ୍ରମଣର ଘଟଣା ସମାନାକୁ ନ ଆସିଲା ତେବେ ସେହି ଅଞ୍ଚଳକୁ ଅରେଞ୍ଜ ଜୋନ୍‌ ଘୋଷଣା କରି ଦିଆଯିବ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଦେଶରେ ବର୍ତ୍ତମାନ ପାଖାପାଖି ୧୭୦ ଜିଲାକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି। ଏଥିମଧ୍ୟରୁ ୧୨୩ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ଥିବା ବେଳେ ବାକି ଜିଲାରେ ସାମାନ୍ୟ କମ୍‌ ରହିଛି। ଏହିସବୁ ରେଡ୍‌ ଜୋନକୁ ସରକାର ସିଲ୍‌ ମଧ୍ୟ କରି ଦେଇଛନ୍ତି। ସେହିପରି ୨୦୭ ଜିଲା ଅରେଞ୍ଜ ଜୋନରେ ଥିବା ବେଳେ ପାଖାପାଖି ୩୫୩ ଜିଲା ଗ୍ରୀନ୍‌ ଜୋନ୍‌ରେ ରହିଛି। ଗ୍ରୀନ୍‌ ଜୋନ୍‌ ହେଉଛି ଯେଉଁଠାରେ ଆଦୌ କରୋନା ସଂକ୍ରମିତ ନାହାନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ଅତିକ୍ରମ କରି ସାରିଥିବା ବେଳେ ଏହାକୁ ରୋକିବାକୁ ସବୁ ଦିଗରୁ ଚେଷ୍ଟା ଜାରି ରହିଛି।

Share