୧୪ ଜଣଙ୍କୁ ସେକ୍ଟର ଅଫିସର ଦାୟିତ୍ୱ

କଟକ ଅଫିସ,୧୮ା୫: ବାତ୍ୟା ‘ଅମ୍ଫନ୍‌’ର ମୁକାବିଲା ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) ତତ୍ପର ହୋଇପଡ଼ିଛି। ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଏନେଇ ଜରୁରୀ ବୈଠକ ବସିଛି। ‘ଅମ୍ଫନ୍‌’ ମୁକାବିଲା ପାଇଁ ୧୪ ଜଣଙ୍କୁ ସେକ୍ଟର ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକଙ୍କୁ ୪ଟି ଲେଖାଏଁ ୱାର୍ଡର ଦାୟିତ୍ୱ ଦିଆଯାଇଛି। ସେକ୍ଟର ଅଫିସର ସେମାନଙ୍କ ୱାର୍ଡରେ ଜଣେ ଲେଖାଏ ଯନ୍ତ୍ରୀ, କମ୍ୟୁନିଟି ଅର୍ଗାନାଇଜର୍‌ ଓ ସାନିଟାରୀ ଇନ୍ସପେକ୍ଟରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ପରିଚାଳନା ସହ ସବୁ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାଛଡ଼ା ୯୯ଟି ବସ୍ତି ଅଞ୍ଚଳର ତାଲିକା ପ୍ରସ୍ତୁତ କରାଯାଇଛି। ଉକ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଉଛି। ସହରରେ ଏହି ସମୟରେ ବର୍ଷା ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯାଇଛି। ସୋମବାର ଖାନନଗର, ମାତୃଭବନ ଭଳି ସମସ୍ତ ସ୍ଲୁଇସ୍‌ ଗେଟ୍‌ ଓ ଜିରୋ ପଏଣ୍ଟକୁ ଖୋଲାଯାଇଛି। ଜାଇକା ସମେତ ଅଗ୍ନିଶମ ବିଭାଗ ଓ ସିଏମ୍‌ସିର ପାଖାପାଖି ଶତାଧିକ ପମ୍ପ ସେଟ୍‌ ଓ ଜେନେରେଟର୍‌ ପ୍ରସ୍ତୁତଥିବା କମିଶନର ଅନନ୍ୟା ଦାସ କହିଛନ୍ତି।