୧୪୪୬୪ ଫେରନ୍ତାଙ୍କ ପାଇଁ ୧୧୫ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ

ବୁଗୁଡ଼ା, ୩୦।୪(ଡି.ଏନ୍‌.ଏ): ବର୍ତ୍ତମାନ ସାରା ଦେଶ ଓ ରାଜ୍ୟରେ କରୋନା ମହାମାରୀରୁ ଉଦ୍ଧାର ନିମନ୍ତେ ମାସେରୁ ଊର୍ଦ୍ଧ୍ୱ ହେବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଓଡିଶା ରାଜ୍ୟର ଶ୍ରମିକମାନେ ବାହାର ରାଜ୍ୟରେ ବିଭିନ୍ନ କମ୍ପାନୀରେ କାମକରି ବର୍ଷ ବର୍ଷ ଧରି ନିଜ ପରିବାରର ପ୍ରତିପୋଷଣ କରିଆସୁଛନ୍ତି। ହେଲେ ବର୍ତ୍ତମାନ ଲକ୍‌ଡାଉନ ଏବଂ ସଟ୍‌ଡାଉନ ଜାରି ରହିଥିବାରୁ କମ୍ପାନିଗୁଡିକର କାର୍ଯ୍ୟ ସବୁ ବନ୍ଦ ହୋଇଯାଇଛି। ଏଥିଯୋଗୁ ଶ୍ରମିକମାନେ ସେଠାରେ କାମଧନ୍ଦା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଏବେ ନିଜ ଭିଟାମାଟିକୁ ଫେରିବାକୁ
ସେମାନେ ବ୍ୟଗ୍ର ହେଉଛନ୍ତି। ଅପରପକ୍ଷେ ବୁଗୁଡା ବ୍ଳକର ୨୧ ପଞ୍ଚାୟତ ଓ ଏନ୍‌ଏସିରୁ ଲକ୍‌ଡାଉନ ହଟିବା ପରେ ମୋଟ ୧୪୪୬୪ ଜଣ ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଫେରିବେ ବୋଲି ଏକ ସର୍ଭେରୁ ଜଣାପଡିଛି। ଏଥିପାଇଁ ପ୍ରଶାସନ ଏବଂ ଜିଲାପାଳ କ୍ଷମତା ପ୍ରଦାନ କରାଯାଇଥିବା ସରପଞ୍ଚଙ୍କ ଉଦ୍ୟମରେ ବ୍ଳକର୨୧ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ ୧୧୪ ସଙ୍ଗରୋଧ କେନ୍ଦ୍ର ଓ ଏନ୍‌ଏସିର ୬ଟି କେନ୍ଦ୍ର ଏପରି ମୋଟ ୧୨୦ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ବ୍ଳକର ୨୧ ପଞ୍ଚାୟତର ୧୦୯ କେନ୍ଦ୍ରକୁ ୧୩୩୮୩ ଓ ଏନ୍‌ଏସିର ୬ଟି କେନ୍ଦ୍ରକୁ ୧୦୮୧ ଜଣ ଫେରିବେ। ତେବେ ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ କେନ୍ଦ୍ରମାନଙ୍କରେ ୧୪ ଦିନ ରହଣି ସହ ସେମାନଙ୍କ ସ୍ବାସ୍ଥ୍ୟ, ଖାଦ୍ୟ, ପାନୀୟ ପାଇଁ ଜଳ ଯୋଗାଣ ଓ ଶୌଚାଳୟର ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ବିଡିଓ ତନ୍ମୟ ପାତ୍ର କହିଛନ୍ତି। ସେହିପରି ରାଜ୍ୟ ଫେରନ୍ତାଙ୍କ ସକାଶେ ନାମ ପଞ୍ଜିକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆଜି ସୁଦ୍ଧା ୫୦୦୦ନାମ ପଞ୍ଜିକରଣ ହୋଇଥିବା ନେଇ ବିଡିଓ ସୂଚନା ଦେଇଛନ୍ତି।