୧୩ ହଜାର ବର୍ଷର ପାଦଚିହ୍ନ

ମଣ୍ଟ୍ରିଆଲ,୨୩।୫: ପଶ୍ଚିମ କାନାଡାର ଉପକୂଳବର୍ତ୍ତୀ ଦ୍ୱୀପରେ ହାରାହାରି ୧୩ ହଜାର ବର୍ଷ ପୁରାତନ ପାଦଚିହ୍ନ ଆବିଷ୍କୃତ ହୋଇଛି। ଏ ନେଇ ପ୍ଲସ୍‌ ଜର୍ନାଲରେ ଗତ ବୁଧବାର ଏକ ରିପୋର୍ଟ ପ୍ରକାଶ ପାଇଛି। ଅଧ୍ୟୟନରେ ସମ୍ପୃକ୍ତ ପାଦଚିହ୍ନ ଥିବା ମାନବ ଗୋଷ୍ଠୀ ଉତ୍ତର ଆମେରିକାରେ ବାସ କରିଥିବା ସର୍ବପୁରାତନ ମାନବ ବୋଲି ଦାବି କରାଯାଇଛି। ଆବିଷ୍କୃତ ପାଦଚିହ୍ନ ଦୁଇଜଣ ବୟସ୍କ ଏବଂ ଜଣେ ଛୋଟ ପିଲାର ବୋଲି ଅନୁମାନ କରାଯାଇଛି।
ଅଧ୍ୟୟନରେ ଭାଗ ନେଇଥିବା ଗବେଷକଙ୍କ କହିବା କଥା, କାନାଡାର ସମ୍ପୃକ୍ତ ଅଞ୍ଚଳ ଘଞ୍ଚ ଜଙ୍ଗଲ ଆଚ୍ଛାଦିତ ହୋଇଥିବାବେଳେ ସେଠାରେ ଗବେଷଣା କଷ୍ଟକର ଥିଲା। କେବଳ ଡଙ୍ଗା ଦ୍ୱାରା ଭିତରକୁ ଯିବା ସମ୍ଭବ ହୋଇଥିଲା। ତେଣୁ ବରଫ ଯୁଗ ଶେଷବେଳକୁ ଯେଉଁଠାରେ ଜଳସ୍ତର ଆଜି ତୁଳନାରେ ଦୁଇରୁ ତିନି ମିଟର କମ ଥିଲା, ସେଠାରେ ହିଁ ଖନନ କାର୍ଯ୍ୟ କରାଯାଇଥିଲା। ଏଥିରୁ ଉପରୋକ୍ତ ଘଟଣା ସାମନାକୁ ଆସିଥିଲା। ଗବେଷକଙ୍କ କହିବା ମୁତାବକ, ବରଫ ଯୁଗ ସମୟରେ ପାଦଚିହ୍ନ ଥିବା ମାନବମାନେ ଖାଲି ପାଦରେ ସେହି ଅଞ୍ଚଳରେ ଦେଇ ଚାଲିଚାଲି ଯାଇଥିଲେ। ଚାରିଆଡ ବରଫାଚ୍ଛନ୍ନ ଥିବାରୁ ସେମାନେ ଚାଲିବା ପାଇଁ ବରଫ ମୁକ୍ତ ଥିବା ରାସ୍ତା ବାଛିଥିଲେ। ସେମାନେ ଚାଲିଥିବା ସ୍ଥାନ ଆଜି କଲଭର୍ଟ ଆଇଲାଣ୍ଡ୍‌ର ସମୂଦ୍ରକୂଳରେ ପରିଣତ ହୋଇଛି। ଅଧ୍ୟୟନରେ ଭାଗ ନେଇଥିବା ହାକାଇ ଇନ୍‌ଷ୍ଟିଚ୍ୟୁଟ ଏବଂ ଭିକ୍ଟୋରିଆ ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ପ୍ରଫେସର ଡଙ୍କନ ମ୍ୟାକଲେରେନ କହିଛନ୍ତି, ୨୦୧୪ ରୁ ୨୦୧୬ ପର୍ଯ୍ୟନ୍ତ ଖନନ କାର୍ଯ୍ୟ ସମୟରେ ମୋଟ ୨୯ଟି ପାଦଚିହ୍ନ ମିଳିଥିଲା। ପ୍ରାୟ ୧୩ ହଜାର ବର୍ଷ ତଳର ଏହି ପାଦଚିହ୍ନ ଥିବା ମାନବ ଏସିଆରୁ ଆସି ବ୍ରିଟିଶ କଲମ୍ବିଆର ପ୍ରଶାନ୍ତ ଉପକୂଳରେ ବାସ କରୁଥିଲେ। ଉତ୍ତର ଆମେରିକାରେ ପହଞ୍ଚତ୍ଥିବା ଏହି ମଣିଷମାନେ ଏସିଆରୁ ଉପକୂଳରେ ଥିବା ବରଫମୁକ୍ତ ଭୂମି କରିଡର ଦେଇ ବର୍ତ୍ତମାନର ବ୍ରିଟିଶ କଲମ୍ବିଆକୁ ଯାଇଥିଲେ। ତେବେ ଅଧିକ ଖନନ ଓ ଅଧ୍ୟୟନ ଦ୍ୱାରା ଉତ୍ତର ଆମେରିକାର ପଶ୍ଚିମ ଉପକୂଳରେ ପ୍ରଥମ ମାନବ ବସତିର ଇତିହାସ, ସେମାନଙ୍କ ଜୀବନୀ, ବାସସ୍ଥଳୀ ଆଦି ବିଷୟରେ ବିସ୍ତୃତ ଭାବେ ଜାଣିହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

Share