୧୩ ବସ୍ତା ଗୁଟ୍‌ଖା ଜବତ, ୫ ଗିରଫ

ଗୋପାଳପୁର,୨୨ା୪- ଗୁଟ୍‌ଖା ଚାଲାଣ ବେଳେ ଗୋଳନ୍ଥରା ପୋଲିସ ସୋମବାର ଚଢାଉ କରି ୧୩ ବସ୍ତା ଗୁଟ୍‌ଖା ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବ୍ରହ୍ମପୁର ମହାନଗର ନିଗମ ପାଣିଗ୍ରାହିପେଣ୍ଠ ସାହିର କାହ୍ନୁଚରଣ ପାଣିଗ୍ରାହି, ଶ୍ରୀଧର ବେହେରା, ବଡ଼ବଜାର ଗୌଡ଼ସାହିର ବି. ଶ୍ରୀନିବାସ ପାତ୍ର, ସତ୍ୟନାରାୟଣ ଦାଶ ଓ ପାତ୍ରପୁରର ବି. ରଞ୍ଜନ ପାତ୍ର। ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଯାଇଛନ୍ତି। ନଂ.୧୭/୨୦ରେ ମାମଲା ରୁଜୁକରି ୫ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସ୍ମିତା ଦାଶ ସୂଚନା ଦେଇଛନ୍ତି। କିଛିଦିନ ହେଲା ବ୍ରହ୍ମପୁରରୁ ଟାମଣା ରାସ୍ତା ଦେଇ ପାତ୍ରପୁରକୁ ଗୁଟଖା ଚାଲାଣ ହେଉଥିଲା। ସୋମବାର ମଧ୍ୟାହ୍ନରେ ୭ ଜଣ ବେପାରୀ ୩ ବାଇକରେ ଗୁଟ୍‌ଖା ଧରି ଯାଉଥିବା ଖବର ପାଇ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ସଦଳବଳ ଟାମଣା ରାସ୍ତାସ୍ଥିତ ଘଟକେଶ୍ୱର ମନ୍ଦିର ନିକଟରେ ଅଟକାଇଥିଲେ। ୫ ଜଣଙ୍କୁ କାବୁ କରିଥିବା ବେଳେ ୨ ଜଣ ଚମ୍ପଟ ମାରିଥିଲେ। ୪ବସ୍ତା ଗୁଟ୍‌ଖା ଓ ୩ଟି ବାଇକ ପୋଲିସ ଜବତ କରିଥିଲା। ସୋମବାର ସନ୍ଧ୍ୟାରେ ସଦର ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗୋଳନ୍ଥରା ଓ ବଡ଼ବଜାର ପୋଲିସ ପାଣିଗ୍ରାହୀପେଣ୍ଠସ୍ଥିତ ଗୋଦାମ ଉପରେ ଚଢ଼ାଉ କରି ୯ ବସ୍ତା ଗୁଟ୍‌ଖା ଜବତ କରିଛି।