୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାଲିଗୁଡା,୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ୧୩୫ ଏକର ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ ସୋମବାର ପୋଲିସ କାଟି ନଷ୍ଟ କରିଛି। କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲା। ପରେ ଗଛ କଟାଯିବା ପରେ ପୋଡ଼ି ଦିଆଯାଇଛି। ଏହାର ମୂଲ୍ୟ ୧୩ କୋଟି ୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବାଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାପଡା, ଡିଙ୍ଗିମିଲା ଏବଂ ମିଡ଼ିଆକିଆ ପଞ୍ଚାୟତର ବରିକିଆ, ମିଡ଼ିଆକିଆ ଭଳି ବିଭିନ୍ନ ଅଞ୍ଚଳରୁ ଏହି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏ ନେଇ କେସ ନଂ. ୪/୨୦ରେ ଏକ ମାମଲା ରୁଜୁ କରାଯାଇଛି l