୧୨ ବର୍ଷ ହେଲା ବିଛଣାରେ ନିବେଦିତା: ଆଶାରେ ଦିନ ବିତାଉଛନ୍ତି ମା’ବାପା

ବାଲେଶ୍ୱର ଅଫିସ, ୨୩।୧୨-ମା’ ବାପା ଗରିବ ହୋଇଥିଲେ ବି ମନୋବଳ ହରାଇନାହାନ୍ତି। ଦୀର୍ଘ ୧୨ବର୍ଷ ଧରି ନିଜ ରୋଗଣା ଝିଅ ନିବେଦିତାକୁ ଯତ୍ନର ସହ ଲାଳନପାଳନ କରିଆସୁଛନ୍ତି। ଅର୍ଥାଭାବ କାରଣରୁ ତା’ର ଚିକିତ୍ସା କରାଇପାରୁନାହାନ୍ତି। ଜନ୍ମ ହେବାପରଠାରୁ ନିବେଦିତା ସବୁବେଳେ ଶଯ୍ୟାଶାୟୀ ହୋଇ ରହିଛନ୍ତି। ଶାରୀରିକ ବିକାଶ ଘଟିଥିଲେ ମଧ୍ୟ ସେହି ଅନୁପାତରେ ମାନସିକ ବିକାଶ ହୋଇପାରିନାହିଁ। ମସ୍ତିଷ୍କ ଜନିତ ରୋଗ କାରଣରୁ ସ୍ବାଭାବିକ ଜୀବନ ଜିଇବା ନିବେଦିତାଙ୍କ ପାଇଁ ସମ୍ଭବ ହୋଇନାହିଁ।
ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତ ବାଲିଆନୂଆସାହି ଅଞ୍ଚଳର ନିବେଦିତାଙ୍କ ମା’ ବାପା ଗରିବ ତଥା ଭୂମିହୀନ। ବାପା ସତ୍ୟନାରାୟଣ ଦାସ କଚେରି ପାଖ ରାସ୍ତାରେ ପନିପରିବା ବିକି ପରିବାର ଚଳାଉଛନ୍ତି। ନିବେଦିତାଙ୍କୁ ମିଶାଇ ତାଙ୍କର ତିନି ଝିଅ ଅଛନ୍ତି। ବଡ ଝିଅକୁ ପାଠ ପଢାଇ ନ ପାରିବାରୁ ସେ ଦଶମ ଶ୍ରେଣୀରୁ ପାଠ ଛାଡିଛନ୍ତି। ମଝିଆ ଝିଅକୁ ବହୁ କଷ୍ଟରେ କଲେଜ ପଠାଉଛନ୍ତି। ସାନଝିଅ ଜନ୍ମ ହେବା ପରଠାରୁ ରୋଗଗ୍ରସ୍ତ ହୋଇ ବିଛଣାରେ ପଡିରହିଛନ୍ତି। ସାନଝିଅକୁ ଠିକ୍‌ କରିବା ଲାଗି ମା’ବାପା ୫ବର୍ଷ ପର୍ଯ୍ୟନ୍ତ ନିଜର ସାମର୍ଥ୍ୟ ମୁତାବକ ଅର୍ଥ ଖର୍ଚ୍ଚ କରି ଶେଷରେ ହାର୍‌ ମାନିଛନ୍ତି। ଡାକ୍ତର ତାଙ୍କୁ ୯୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିଥିବାରୁ ଏହାକୁ ଘରେ ସାଇତି ରଖିଛନ୍ତି। ହେଲେ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ନିବେଦିତାଙ୍କୁ ଏଯାଏ କୌଣସି ସହାୟତା ମିଳିନାହିଁ। କେବଳ ଝିଅ ନିବେଦିତା ନୁହେଁ ସତ୍ୟନାରାରାୟଣ ମଧ୍ୟ ଜଣେ ଭିନ୍ନକ୍ଷମ। ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍‌ ତାଙ୍କ ଡାହାଣ ପାର୍ଶ୍ୱ ଆଖିରେ ଯନ୍ତ୍ରଣା ହୋଇଥିଲା। ସେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାଇଥିଲେ। କିନ୍ତୁ ଭଲ ନ ହେବାରୁ ତାଙ୍କୁ ଗୋଟିଏ ଆଖି ହରାଇବାକୁ ପଡ଼ିଲା। ଏଥିଲାଗି ସରକାରଙ୍କ ପକ୍ଷରୁ ତାଙ୍କୁ ୩୦ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଛି। ବିବାହ ପରେ ସତ୍ୟନାରାୟଣ ବାପା ଓ ଭାଇଙ୍କଠାରୁ ଅଲଗା ହୋଇ ବାଲିଆନୂଆସାହି ଅଞ୍ଚଳରେ ରହିଆସୁଛନ୍ତି। ଜୀବନ ସଂଗ୍ରାମରେ ହାର ମାନି ନ ଥିବା ସତ୍ୟନାରାୟଣ କଚେରି ପାଖ ରାସ୍ତାରେ ପରିବା ଦୋକାନ କରି ପରିବାର ଚଳାଇ ଆସୁଛନ୍ତି। କିନ୍ତୁ ସାନଝିଅର ଯନ୍ତ୍ରଣା ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ନିବେଦିତାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସକାଶେ ସେ ଅନେକଙ୍କୁ ଗୁହାରି କରି ନିରାଶ ହୋଇଛନ୍ତି। ସେ ଓ ତାଙ୍କ ଝିଅ ନିବେଦିତା ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ ବି ସରକାରଙ୍କ ତରଫରୁ ତାଙ୍କୁ ଘର, ଭତ୍ତା କିମ୍ବା ରାଶନ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇନାହିଁ। ଏହି ଗରିବ, ଅସହାୟ ମା’ବାପ ଦିବ୍ୟାଙ୍ଗ ଝିଅର ଦୈନନ୍ଦିନ ଯତ୍ନ ନେବାରେ ଅବହେଳା କରିନାହାନ୍ତି। ସରକାରଙ୍କ ସୁଦୃଷ୍ଟି ପଡିବ ଓ ତାଙ୍କ ଝିଅ ସ୍‌ୁସ୍ଥ ହେବ ବୋଲି ଏହି ଆଶା ରଖି ସେମାନେ ଦିନ ବିତାଉଛନ୍ତି।