Categories: ଫୁରସତ

୧୨୬ ବର୍ଷ ପରେ ନଡ଼ିଆ ଗଛରେ ଆସିଲା ଫଳ

ନୂଆଦିଲ୍ଲୀ,୮।୩ : ଭାରତର ଏକ ମାତ୍ର ନଡ଼ିଆ ଗଛ ‘ଲୋଡୋସିଆ ମାଲଦିବିକା’ରେ ୧୨୬ ବର୍ଷ ପରେ ଫଳ ଆସିଛି। ଏଥିରୁ ୨ଟି ନଡ଼ିଆ ତୋଳା ଯାଇଛି। ଗୋଟିଏ ନଡ଼ିଆର ଓଜନ ସାଢ଼େ ୮ କିଲୋଗ୍ରାମ୍‌ ଥିବାବେଳେ ଅନ୍ୟଟି ୧୮ କିଲୋଗ୍ରାମ୍‌ ଥିବା କୁହାଯାଉଛି। ଏହାକୁ ଲୋକେ ଡବଲ କୋକାନଟ୍‌ ମଧ୍ୟ କହିଥାନ୍ତି। ୧୮୯୪ରେ ଏହାର ଚାରାକୁ ସିସିଲି ଦ୍ୱୀପରୁ ଅଣାଯାଇ ପଶ୍ଚିମବଙ୍ଗର ଆଚାର୍ଯ୍ୟ ଜଗଦୀଶ୍‌ ଚନ୍ଦ୍ର ବୋଷ ଉଦ୍ଭିଦ ଉଦ୍ୟାନରେ ରୋପଣ କରାଯାଇଥିଲା। ୨୦୦୬ରେ ଏଥିରେ ଫୁଲ ଆସିଥିଲା। ତେବେ ଏହା ମାଈ ଫୁଲ ବୋଲି ଜଣାପଡ଼ିଥିଲା। ତେଣୁ ଶ୍ରୀଲଙ୍କାର ପେରିଡ଼ିନିଆ ଉଦ୍ୟାନରୁ ଅଣ୍ଡିଆ ଫୁଲ ଅଣାଯାଇ ପରାଗ ସଙ୍ଗମ ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ସଫଳତା ମିଳିପାରି ନ ଥିଲା। ଏହାପରେ ୨୦୧୩ରେ ଥାଇଲାଣ୍ଡରୁ ଅଣାଯାଇଥିବା ଅଣ୍ଡିରା ଫୁଲର ପରାଗରେଣୁରୁ ସଫଳତା ମିଳିଥିଲା। ଗଛରେ ଫଳ ଆସିଥିଲା ବୋଲି ଭାରତୀୟ ବନସ୍ପତି ସର୍ବେକ୍ଷଣର ବୈଜ୍ଞାନିକ ଡ. ଶିବକୁମାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସିସିଲିର ୧୧୫ ଦ୍ୱୀପ ମଧ୍ୟରୁ କେବଳ ଦୁଇଟି ଦ୍ୱୀପରେ ଏହି ଗଛ ଦେଖାଯାଇଥାଏ। ଏହା ୧୦୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହେ।

Share