୧୨୫ ନୂଆ ଓଏଏସ୍‌ ପଦବୀ

ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଗ୍ରୁପ୍‌-ଏ ଜୁନିୟର ବ୍ରାଞ୍ଚରେ ୧୨୫ ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ ବୃଦ୍ଧି ହୋଇଛି। ପ୍ରତ୍ୟେକ ଜିଲା ପାଇଁ ୨ଟି ଲେଖାଏ ଡେପୁଟି କଲେକ୍ଟର ପଦବୀ ସୃଷ୍ଟି କରାଯାଇଥିବାବେଳେ କଟକ ରାଜସ୍ବ ପର୍ଷଦ ପାଇଁ ୪ ଅନୁସଚିବ, ପ୍ରତ୍ୟେକ ଉପଜିଲାପାଳ କାର୍ଯ୍ୟାଳୟରେ ଗୋଟିଏ ଲେଖାଏ ଡେପୁଟି କଲେକ୍ଟର ହିସାବରେ ୫୮ ଏବଂ ଭୁବନେଶ୍ୱର, ପାରାଦୀପ ଏବଂ ରାଉରକେଲା ପାଇଁ ଡେପୁଟି କଲେକ୍ଟର, ଅତିରିକ୍ତ ଜିଲାପାଳ କାର୍ଯ୍ୟାଳୟ ପାଇଁ ୩ଟି ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୬ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ପାଣିପଞ୍ଚାୟତଗୁଡିକରେ ମହିଳାମାନଙ୍କୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପାଣି ପଞ୍ଚାୟତ ଅଧିନିୟମ-୨୦୦୨ର ସଂଶୋଧନ କରାଯାଇଛି। ଏହି ସଂଶୋଧନ ପରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ପାଣିପଞ୍ଚାୟତରେ ମିଶାଇ ଦିଆଯାଇଛି। ଏହାର ହିତାଧିକାରୀଙ୍କ ସ୍ତ୍ରୀ ମଧ୍ୟ ପାଣିପଞ୍ଚାୟତରେ ସାମିଲ ହେବେ। ଚକ କମିଟି ଓ ପାଣି ପଞ୍ଚାୟତର ଅବଧି ୩ ବର୍ଷରୁ ୫ବର୍ଷକୁ ବୃଦ୍ଧି କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଓଡ଼ିଶା ପ୍ରାଣୀ ଚିକିତ୍ସା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ସଂଶୋଧିତ ନିୟମାବଳୀ-୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସଂଶୋଧିତ ନିୟମାବଳୀ ଅନୁଯାୟୀ ପ୍ରାଣୀ ଚିକିତ୍ସକମାନଙ୍କର ନିଯୁକ୍ତି, ମେଡିକାଲ ଅଫିସର, ହୋମିଓପ୍ୟାଥିକ ମେଡିକାଲ ଅଫିସର ଏବଂ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ନିଯୁକ୍ତି ପ୍ରକ୍ରିୟା ଭଳି ଏଣିକି ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ନିଯୁକ୍ତି ପାଇଁ ସାକ୍ଷାତ୍‌କାର ହଟାଇ ଓପିଏସ୍‌ସି ମାଧ୍ୟମରେ କେବଳ ଲିଖିତ ପରୀକ୍ଷା କରାଯିବ।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦ୍ବିତୀୟ ବିଚାର ବିଭାଗୀୟ ଅଫିସରଙ୍କୁ ବେତନ କମିଶନଙ୍କ ସୁପାରିସ ଅନୁସାରେ ଦରମା ମିଳିବ। ଏଥିଲାଗି ରାଜ୍ୟ ସରକାର ପ୍ରତିବର୍ଷ ୯୩କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବେ।