Categories: ଜାତୀୟ

୧୨୦ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟାହେବ ନିଜାମଙ୍କ ସମ୍ପତ୍ତି

ହାଇଦ୍ରାବାଦ,୪-୧୦:ଦେଶୀୟ ରାଜ୍ୟ ହାଇଦ୍ରାବାଦର ଶେଷ ନିଜାମ ମିର୍‌ ଓସ୍‌ମାନ ଅଲି ଖାନଙ୍କର ନାଟ୍‌ଓ୍ବେଷ୍ଟ ବ୍ୟାଙ୍କରେ ୧୯୪୮ରୁ ଜମା ଥିବା ୩୫ ନିୟୁତ ପାଉଣ୍ଡ (୩୦୬ କୋଟି ଟଙ୍କା) ତାଙ୍କର ୧୨୦ରୁ ଊର୍ଦ୍ଧ୍ୱ ଉତ୍ତରାଧିକାରୀଙ୍କ ମଧ୍ୟରେ ବଣ୍ଟାଯିବ। ନିଜାମଙ୍କ ପରିବାର ସୂତ୍ରରୁ ଏହା ଜଣାପଡିଛି। ବୁଧବାର ପ୍ରକାଶ ପାଇଥିବା ଇଂଲଣ୍ଡ ଓ ଓ୍ବେଲ୍ସର ବ୍ୟବସାୟ ଓ ସମ୍ପତ୍ତି କୋର୍ଟଙ୍କ ରାୟ ଭାରତ ଓ ନିଜାମଙ୍କ ଉତ୍ତରାଧିକାରୀମାନଙ୍କ ସପକ୍ଷରେ ଯାଇଥିଲା। ଏହି ସମ୍ପତ୍ତି ଉପରେ ପାକିସ୍ତାନ ସରକାରଙ୍କ ଦାବିକୁ କୋର୍ଟ ଖାରଜ କରିଦେଇଥିଲେ। ସୂତ୍ର ଅନୁଯାୟୀ ସମ୍ପତ୍ତି ଭାରତ ସରକାର, ନିଜାମଙ୍କ ଇଷ୍ଟେଟ୍‌ର ପ୍ରତିନିଧିତ୍ୱ କରୁଥିବା ମୁକାରାମ୍‌ ଜାହ, ମୁଫଖାମ୍‌ ଜାହ, ନିଜାମଙ୍କ ନାତି ଓ ଇଷ୍ଟେଟ୍‌ର ଅଂଶବିଶେଷ ଥିବା ଅନ୍ୟ ୧୨୦ ଜଣଙ୍କ ମଧ୍ୟରେ ବାଣ୍ଟିଦିଆଯିବ। ମାମଲାରେ ପକ୍ଷ ଥିବା ନିଜାମଙ୍କ ଅନ୍ୟତମ ନାତି ନଜାଫ ଅଲି ଖାନ୍‌ଙ୍କୁ ମଧ୍ୟ ସମ୍ପତ୍ତିରୁ ଭାଗ ମିଳିବ। ସେ ନିଜାମଙ୍କ ପରିବାର କଲ୍ୟାଣ ସଂଘର ମୁଖ୍ୟ ଅଛନ୍ତି।

Share