Categories: ଭଦ୍ରକ

୧୧ ମଣ୍ଡପରେ ପୂଜା ପାଇବେ ମା’

ଭଦ୍ରକ ଅଫିସ, ୨୭।୧୦ – ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୁସଜ୍ଜିତ ମଣ୍ଡପ, ତୋରଣ ସହରର ଶୋଭା ବଢ଼ାଉଛି। ସବୁଠି ବାରି ହୋଇପଡୁଛି ଐତିହ୍ୟ ଓ ସଂସ୍କୃତିର ମହକ। ଭଦ୍ରକ ସହରରେ ଚରମ୍ପା ଅଞ୍ଚଳର କାଳୀପୂଜା ନିଆରା ଆକର୍ଷଣ ହୋଇ ରହିଆସିଛି। ଏଥର ପୂଜା ମଣ୍ଡପ ସାଙ୍ଗକୁ ମିନାବଜାର, ଅପେରା ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରବିବାରଠାରୁ ୧୦ ଦିନ ପର୍ଯ୍ୟନ୍ତ ସହରରେ ମୋଟ ୧୧ଟି ମଣ୍ଡପରେ ପୂଜା ପାଇବେ ମା’। ଏଥର ବହୁ ଦୂରଦୂରାନ୍ତରୁ ବ୍ୟବସାୟୀମାନେ ଆସି ସେମାନଙ୍କ ପସରା ଖୋଲିବା ଆରମ୍ଭ କରିଛନ୍ତି। ୩ ଦିନର ଲଘୁଚାପଜନିତ ବର୍ଷା ବ୍ୟବସାୟୀ, ଆୟୋଜକଙ୍କ ମନରେ ନିରାଶା ଭରି ଦେଇଥିଲା। ତେବେ ଶନିବାର ପାଗ ଅନୁକୂଳ ହେବାରୁ ବାକି ଥିବା ତୋରଣ ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦିଆଯାଇସାରିଛି। ବାରୁଆଳି ମୂର୍ତ୍ତିଠାରୁ ଆଲୋକ ସାଜସଜ୍ଜା ଓ ତୋରଣ ଏଥର ଅନ୍ୟତମ ଆକର୍ଷଣ ହେବ।
ଚଳିତବର୍ଷ ଏରେଇଁ ପୂଜା ମଣ୍ଡପରେ ଟାଇଟନ୍‌ିକ ଜାହାଜ ସଦୃଶ ତୋରଣ ଆଖି ଝଲସାଇବ। ସ୍କୁଲ ରୋଡ୍‌ ପୂଜା କମିଟି ଚଳିତବର୍ଷ ତାର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ଅପରପକ୍ଷରେ ଷ୍ଟେଶନ ଆରପାଖରେ ଥିବା ମା’ ପଥରକାଳୀଙ୍କ ନିକଟରେ ସୁଉଚ୍ଚ ତୋରଣ ଦର୍ଶକଙ୍କ ମନ ମୋହିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଥର ପ୍ରଶାସନ ପକ୍ଷରୁ ଯାତ୍ରା ପାର୍ଟି ପରିବେଷଣ କରାଯିବାକୁ ଅନୁମତି ମିଳିଥିବାରୁ ଆୟୋଜକଙ୍କ ମହଲରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ୧୦୦ ବର୍ଷ ତଳେ ଭଦ୍ରକର ଜଣେ ଦକ୍ଷିଣ ଭାରତୀୟ କର୍ମଚାରୀ ଚରମ୍ପା(ଭଦ୍ରକ) ଷ୍ଟେଶନ ସଂଲଗ୍ନ ରେଳଓ୍ବେ ପରିସରରେ ପ୍ରଥମେ ପୂଜା ଆରମ୍ଭ କରିଥିଲେ। ସେହିଦିନର ଏହି ପାରିବାରିକ କାଳୀପୂଜା ଭଦ୍ରକ ଜିଲାରେ ଏକ ଗଣପର୍ବର ରୂପ ନେଇଛି। ଚରମ୍ପା ବଜାରର ସ୍କୁଲ ରୋଡ୍‌ ପୂଜା କମିଟି, ଏରେଇଁ, ରାଜଘାଟ ପୋଲ, ଷ୍ଟେଶନ ଲୋକେସନ, ଡଗରାସାହି, ପଥରଆଡି, କାଉଡିଆ ସଂଘ, ପିଡବ୍ଲ୍ୟୁଆଇ ପୂଜା କମିଟିର ସୁଉଚ୍ଚ ତୋରଣ ଓ ବାରୁଆଳି ଚଳିତବର୍ଷ ଚିତାକର୍ଷକ ହେବ ବୋଲି କୁହାଯାଇଛି। ରବିବାର ମା’ଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସୋମବାରଠାରୁ ପର୍ଯ୍ୟାୟକ୍ରମେ ୧୦ ଦିନ ପର୍ଯ୍ୟନ୍ତ ପୂଜା ଚାଲିବ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।