Categories: ଅନୁଗୋଳ

୧୧ ତାରିଖ ଯାଏ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା: ଆଜିଠୁ ପକ୍ଷୀ, ୯ରୁ କୁମ୍ଭୀର ଗଣନା

ବନ୍ତଳା,୩।୧(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ଶୁକ୍ରବାରଠାରୁ ପକ୍ଷୀ ଗଣନା ହେବ। ଏଥିସହିତ ଆସନ୍ତା ୯ ରୁ୧୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏଥିପାଇଁ ଗୁରୁବାର ଟିକରପଡା ରେଞ୍ଜ କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ସମ୍ମିଳନୀ ଗୃହରେ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସୌମ୍ୟକ ସାମନ୍ତରା ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ। ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା କୁମ୍ଭୀର ଗଣନା ଓ ଏସିଏଫ ସରୋଜ ପଣ୍ଡା ପକ୍ଷୀ ଗଣନା ତାଲିମ ପ୍ରଦାନ କରିଥିଲେ। ଆଠମଲ୍ଲିକ ଏସିଏଫ ରାଜେନ୍ଦ୍ର ଗୋଚ୍ଛାୟତ ୟୁନିଟ୍‌ ଗଠନ କରିଥିଲେ। ସାତକୋଶିଆ ମହାନଦୀ ଗଣ୍ଡର ୨୧ କିଲୋମିଟର, ଶିଶୁ ପଥର ଡ୍ୟାମ୍‌, ଆଠମଲ୍ଲିକର ବେଲପୁଞ୍ଜି ମଠ, ମାନଯୋର ପ୍ରୋଜେକ୍ଟ, କଦଳୀଖୋଲା, ରାଉତପଡା ବନ୍ଧ, ଜାମଡୋଳି ବନ୍ଧ ଆଦି ଅଞ୍ଚଳରେ ପକ୍ଷୀ ଓ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ମୋଟ ୧୩ଟି ୟୁନିଟ୍‌ ମଧ୍ୟରୁ ସାତକୋଶିଆରେ ୫ଟି, ମହାନଦୀରେ ୫ଟି ଓ ଆଠମଲ୍ଲିକରେ ୩ଟି ୟୁନିଟ୍‌ ଗଣନା କରିବେ। ସେହିପରି ପକ୍ଷୀ ଗଣନା ପାଇଁ ୧୫ଟି ୟୁନିଟ୍‌ ଗଠନ କରାଯାଇଛି। ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ଆଠମଲ୍ଲିକ ହରଭଙ୍ଗାରୁ ଅଏଡ, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ ଅଞ୍ଚଳର ବିଭିନ୍ନ ଜଳାଶୟରେ ଏହି ଗଣନା କରାଯିବ। ଏଥିପାଇଁ ମୋବାଇଲ ଟ୍ରାକିଙ୍ଗ, ଜିପିଏସ, ବାଇନା କୁଲର ଓ ସ୍ବତନ୍ତ୍ର କ୍ୟାମେରା ବ୍ୟବସ୍ଥା କରାଯାଇଛି। ୧୧ ତାରିଖ ଏହି ଗଣନା ସରିବା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରଖାଯାଇଛି। ଟିକରପଡା, କମାଳାଡିହ, ଆଠମଲ୍ଲିକର ସମସ୍ତ ମତ୍ସ୍ୟଜୀବୀଙ୍କୁ ନଦୀ ଭିତରକୁ ଯିବାକୁ ବାରଣ କରାଯାଇଛି। ବୈଠକରେ ଟିକରପଡା ରେଞ୍ଜର ଜୟନ୍ତ ପଟ୍ଟନାୟକ, ପୁରୁଣାକୋଟ ରେଞ୍ଜର ଗଜେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଫରେଷ୍ଟର ଓ ଗାର୍ଡ ଯୋଗ ଦେଇଥିଲେ।