Categories: ଫୁରସତ

୧୧୮ ବର୍ଷ ଧରି ଜଳୁଛି ବିଦ୍ୟୁତ୍‌ ବଲ୍‌ବ

କାଲିଫର୍ନିଆ : ସାଧାରଣତଃ ଆମେ ଘରେ, କାର୍ଯ୍ୟାଳୟରେ, ବ୍ୟବସାୟ ପ୍ରତିଷ୍ଠାନରେ ଏବଂ ଅନ୍ୟାନ୍ୟ ସ୍ଥାନରେ ଆଲୋକ ପାଇଁ ବିଦ୍ୟୁତ୍‌ ବଲ୍‌ବର ବ୍ୟବହାର କରିଥାଉ। କିଛି ଦିନ ଜଳିବା ପରେ ଏହା ଫ୍ୟୁଜ୍‌ ହୋଇଯାଇଥାଏ ବା ଖରାପ ହୋଇଯାଇଥାଏ। ଅତି ବେଶୀରେ ଗୋଟିଏ ଗୋଟିଏ ବଲ୍‌ବ ୬ ମାସ କି ବର୍ଷେ ଓ୍ବାରେଣ୍ଟି ଥାଏ। ଏହା ପରେ ଆମକୁ ବଲ୍‌ବ ବଦଳଇବାକୁ ପଡ଼ିଥାଏ। କିନ୍ତୁ ଏମିତି ଏକ ବଲ୍‌ବ ରହିଛି ଯାହା ଦୀର୍ଘବର୍ଷ ଧରି ଜଳୁଛି। କେବେ ଖରାପ ହୋଇନାହିଁ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

କାଲିଫର୍ନିଆର ଲିବରମୋର ସହରର ଏକ ଦମକଳ କେନ୍ଦ୍ରରେ ଏହି ବଲ୍‌ବଟି ଲାଗିଛି। ଏହାକୁ ସେଲ୍‌ବି ଇଲେକ୍ଟ୍ରିକ୍‌ କମ୍ପାନୀ ତିଆରି କରିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହା ୧୧୮ ବର୍ଷ ଧରି ସେମିତି ଜଳୁଛି। କେବେ ଖରାପ ହୋଇନାହିଁ କି ବଦଳା ଯାଇନାହିଁ। ଏହି ବଲ୍‌ବର ନାଁ ସେଣ୍ଟ୍‌ନିୟଲ। ଯାହା ୧୯୦୧ ମସିହାରେ ଏଠାରେ ଲଗାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଫ୍ୟୁଜ୍‌ ହୋଇନାହିଁ।

ଏକ ରିପୋର୍ଟରୁ ପ୍ରକାଶ ଯେ, ୧୯୩୭ ମସିହାରେ ତାର ବଦଳାଇବା ପାଇଁ ବଲ୍‌ବଟିକୁ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ଏହା ପରେ ବଲ୍‌ବଟି ପୁନର୍ବାର ଜଳିଥିଲା। ଏହାର ନାଁ ଏବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ଏହି ବଲ୍‌ବ ୪ ଓ୍ବାଟ୍‌ ବିଶିଷ୍ଟ। ଏହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗୁଛି।

Share