Categories: ଜାତୀୟ

୧୧୨ ଡାଏଲ କଲେ ପୋଲିସ ପହଞ୍ଚାଉଛି ଖାଦ୍ୟ

ନୋଏଡ଼ା,୨୭।୩- ଯଦି କାହା ଘରେ ଖାଦ୍ୟପେୟର କୌଣସି ଅସୁବିଧା ଅଛି ତେବେ ୧୧୨ ଡାଏଲ କଲେ କିଛି ସମୟ ପରେ ଖାଦ୍ୟ ପହଞ୍ଚାଇବ ପୋଲିସ। ଲକ୍‌ଡାଉନ ସମୟରେ ବଜାର ସହର ସବୁ ବନ୍ଦ ରହିଥିବାରୁ ଅନେକ ଗରିବ ଶ୍ରେଣୀର ଲୋକ ପ୍ରଭାବିତ ହୋଇଛନ୍ତି। ଅନେକଙ୍କ ଘରେ ଖାଇବାକୁ ନ ଥିବା ଜାଣି ଏଭଳି ପଦକ୍ଷେପ ନେଇଛି ନୋଏଡ଼ା ପୋଲିସ। ତାଲାବନ୍ଦ ସମୟରେ ପୋଲିସ ଦ୍ୱାରା ଯୋଗାଇ ଦିଆଯାଉଥିବା ଏହି ସହାୟତା ସମ୍ପର୍କରେ ନୋଏଡା ପୋଲିସ କମିଶନର ଆଲୋକ ସିଂ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ଅନେକ ଲୋକ ୧୧୨ ଡାଏଲ କରି ପୋଲିସର ସହାୟତା ଲୋଡ଼ିବା ପରେ ନୋଏଡ଼ା ପୋଲିସ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଇଥିବା ସିଂ କହିଛନ୍ତି। ଗତ ୨୫ ତାରିଖରେ ନୋଏଡ଼ାସ୍ଥିତ ଏକ ବସ୍ତିରେ ପ୍ରାୟ ୮୨ ଜଣ ଲୋକ ଖାଦ୍ୟାଭାବରୁ ବିଚଳିତ ହୋଇପଡ଼ିଥିଲେ। ଏହାପରେ ୧୧୨କୁ କେହି କଲ୍‌ କରି ପୋଲିସର ସହାୟତା ଲୋଡ଼ିବା ପରେ ପୋଲିସ ସେମାନଙ୍କ ନିକଟରେ ୫୦ କେଜି ଚାଉଳ ଓ ୫୦ କେଜି ଡାଲି ଯୋଗାଇ ଦେଇଥିଲା। ସେହିଭଳି ପୋଲିସ କର୍ମଚାରୀମାନେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଜଣାପଡ଼ିଛି। ଏହି ଘଡ଼ିସନ୍ଧି ସମୟରେ ପୋଲିସର ଭୂମିକା ସେଠାରେ ବେଶ୍‌ ପ୍ରଶଂସନୀୟ ହୋଇଛି।

Share