୧୧ଜଣିଆ ଅନ୍ତରୀଣ କମିଟି ଗଠିତ

କଟକ ଅଫିସ,୨।୬: ଲକ୍‌ଡାଉନ୍‌ ଯୋଗୁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଏଭଳି ସ୍ଥଳେ ଓକିଲ ସଂଘଗୁଡ଼ିକର ପରିଚାଳନା ପାଇଁ ହାଇକୋର୍ଟ ଓକିଲ ସଂଘର ଅନ୍ତରୀଣ କମିଟି ଗଠିତ ହୋଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସମେତ ୧୧ଜଣ ସଦସ୍ୟ ଅଛନ୍ତି। ବିଜୟକୃଷ୍ଣ ମହାନ୍ତି କମିଟିର ଅଧ୍ୟକ୍ଷ ଥିବାବେଳେ ସଦସ୍ୟ ଭାବେ ଅଶୋକ କୁମାର ମହାନ୍ତି, ୟେଶାନ୍‌ ମହାନ୍ତି, ଟହଲି ଚରଣ ମହାନ୍ତି, ଅଶୋକ କୁମାର ମହାପାତ୍ର, ଭୀମସେନ ସାହୁ, ବନୋଜ କୁମାର ପଟ୍ଟନାୟକ, ବିରେନ ଶଙ୍କର ତ୍ରିପାଠୀ, ଲଲାଟେନ୍ଦୁ ସାମନ୍ତରାୟ, ବିଦ୍ୟାଧର ପ୍ରଧାନ ଓ ଉମେଶ ଚନ୍ଦ୍ର ବେହୁରା ରହିଛନ୍ତି। ଏହି କମିଟିକୁ ଆଇନଜୀବୀ ପରିଷଦ ସୋମବାର ଅନୁମୋଦନ ଦେଇଛି। ଅଧ୍ୟକ୍ଷଙ୍କ ଆବାହନରେ ପ୍ରଥମ ବୈଠକ ଡକାଯାଇ ଏଥିରେ କମିଟିର ସଦସ୍ୟମାନେ ଜଣେ ସମ୍ପାଦକଙ୍କୁ ଚୟନ କରିବେ। ପୂର୍ବତନ ସଭାପତି ଓ ସମ୍ପାଦକମାନେ ସଂଘର ସମସ୍ତ ଦସ୍ତାବିଜ ଅନ୍ତରୀଣ କମିଟିକୁ ହସ୍ତାନ୍ତର କରିବାକୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୮ରେ ହାଇକୋର୍ଟ ଓ ସମସ୍ତ ଓକିଲ ସଂଘର ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ରାଜ୍ୟ ଆଇନଜୀବୀ ପରିଷଦ ଏପ୍ରିଲ୍‌ ୧୫ରେ ନିର୍ଦ୍ଦେଶନାମା ଜାରି କରି ଓକିଲ ସଂଘର ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲା। ଏହା ପରେ ମାର୍ଚ୍ଚ ୪ରେ ଅନ୍ତରୀଣ କମିଟି ଗଠନ କରିବାକୁ ସମସ୍ତ ଓକିଲ ସଂଘକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କମିଟିର ଏଭଳି ନିଷ୍ପତ୍ତିକୁ ଅନେକ ଓକିଲ ସଂଘ ବିରୋଧ କରୁଛନ୍ତି। ଏନେଇ ଗୋଟିଏ ମାମଲା ହାଇକୋର୍ଟରେ ଖାରଜ ହୋଇଥିବା ବେଳେ ଆଉ ଗୋଟିଏ ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି।