୧୦ ହଜାର ଲାଞ୍ଚ: ଭିଜିଲାନ୍ସ ଜାଲରେ, ବନରକ୍ଷୀ, ରାତ୍ର ଜଗୁଆଳି

ବ୍ରହ୍ମପୁର ଅଫିସ/ସୋରଡା(ଡି.ଏନ.ଏ.), ୨୮ା୫-ଗଞ୍ଜାମ ଜିଲା ସୋରଡ଼ା ବନଖଣ୍ଡ ଅଧୀନରେ ଥିବା ପିପଳପଙ୍କା ବନରକ୍ଷୀ ବିଷ୍ଣୁପ୍ରିୟା ଦାଶ ଜଣେ ଆଦିବାସୀଙ୍କ ନାମରେ ମାମଲା ରୁଜୁ ନ କରିବା ପାଇଁ ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଲାଞ୍ଚ ଟଙ୍କା ବିଷ୍ଣୁପ୍ରିୟାଙ୍କ ନିର୍ଦ୍ଦେଶରେ ଫରେଷ୍ଟ ବିଟ୍‌ ହାଉସ୍‌ ରାତ୍ର ଜଗୁଆଳି ଗଣେଶ ପାତ୍ର ଢଉଗଁାର ଗାଙ୍ଗନା ମଣ୍ଡଳଙ୍କଠାରୁ ଗ୍ରହଣ କରିଥିଲେ ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ମାମଲା ନଂ. ୬/୨୦ରେ ବିଷ୍ଣୁପ୍ରିୟା ଓ ଗଣେଶଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଗୁରୁବାର କୋର୍ଟଚାଲାଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଖବର ଲେଖା ହେବା ସୁଦ୍ଧା ଅସୁରବନ୍ଧରେ ରହୁଥିବା ବିଷ୍ଣୁପ୍ରିୟାଙ୍କ ବାସଭବନ ଓ ପିପଳପଙ୍କା କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍‌ ଖାନତଲାସ୍‌ ଜାରି ରଖିଥିବା ସେ କହିଛନ୍ତି।ଘଟଣାରୁ ପ୍ରକାଶ, ବିଷ୍ଣୁପ୍ରିୟାଙ୍କ ପୈତୃକ ଘର ହିଞ୍ଜିଳିକାଟୁ ହୋଇଥିବା ବେଳେ ୨୦୧୨ ମେ ୩୧ରେ ପିପଳପଙ୍କାରେ ସେ ବନରକ୍ଷୀ ଭାବେ ନିଯୁକ୍ତି ପାଇଥିଲେ। କିଛିଦିନ ତଳେ ଢଉଗଁାର ଗାଙ୍ଗନା ନିଜ ଜଙ୍ଗଲ ଜମି ସଫା କରିବା ସହ ଉକ୍ତ ଜମିକୁ ଲାଗିଥିବା ଏକ ଗଛ କାଟିଥିଲେ। ଖବର ପାଇ ବିଷ୍ଣୁପ୍ରିୟା ଗାଙ୍ଗନାଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ତୁମ ନାମରେ ମାମଲା ରୁଜୁ ହେବ ବୋଲି ଧମକ ଦେଇଥିଲେ। ମାମଲା ନ କରିବା ପାଇଁ ବିଷ୍ଣୁପ୍ରିୟା ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଗାଙ୍ଗନା ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବିକ ବୁଧବାର ମଧ୍ୟାହ୍ନରେ ସେ ପିପଳପଙ୍କା ଫରେଷ୍ଟ ବିଟ୍‌ ହାଉସ୍‌କୁ ଯାଇ ବିଷ୍ଣୁପ୍ରିୟାଙ୍କୁ ଭେଟି ଲାଞ୍ଚ ଟଙ୍କା ଦେଇଥିଲେ। ହେଲେ ସେ ଟଙ୍କା ଗ୍ରହଣ ନ କରି ନିକଟରେ ଥିବା ରାତ୍ର ଜଗୁଆଳି ଗଣେଶଙ୍କୁ ଦେବାକୁ କହିଥିଲେ। ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଟଙ୍କା ଜବତ କରିବା ସହ ବିଷ୍ଣୁପ୍ରିୟା ଓ ଗଣେଶଙ୍କୁ ଗିରଫ କରିଥିଲେ ବୋଲି ଏସ୍‌ପି ସ୍ବାଇଁ ସୂଚନା ଦେଇଛନ୍ତି।