୧୦ ହଜାର ଟଙ୍କାରେ ୭ମାସର ଶିଶୁପୁତ୍ରକୁ ବିକିଲା ବାପା

ଝରିଗାଁ,୯।୭(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୭ମାସର ଶିଶୁପୁତ୍ରକୁ ବାପା ବିକ୍ରି କରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଉମରକୋଟ ବ୍ଲକ ପୂଜାରୀଗୁଡା ଗ୍ରାମର ସଂଗ୍ରାମ ଲୋହରା ପେସାରେ ଜଣେ ଜେସିବି ଅପରେଟର । ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ । ବୁର୍ଜା ଗ୍ରାମର ଜଣେ ଲୋକ ତାଙ୍କ ସମ୍ପର୍କୀୟଙ୍କ ସକାଶେ ସଂଗ୍ରାମଙ୍କୁ ତାଙ୍କ ପୁଅ ଦେବା ପାଇଁ କହିଥିଲେ। ସୋମବାର ସଂଗ୍ରାମ ନିଜ ସ୍ତ୍ରୀ ସନବାରୀ ଏବଂ ୭ ମାସର ପୁଅ ପ୍ରଶାନ୍ତଙ୍କୁ ଧରି ଉମରକୋଟ ସ୍ଥିତ ମାଆ ପେଣ୍ଡ୍ରାଣୀ ମନ୍ଦିର ନିକଟକୁ ଆସିଥିଲେ। ସେଠାରେ ସନବାରୀଙ୍କ କୋଳରୁ ଜୋର ଜବରଦସ୍ତ ଶିଶୁପୁତ୍ରକୁ ସଂଗ୍ରାମ ଛଡାଇ ନେଇ ଅନ୍ୟ ଜଣକ ହାତକୁ ବଢାଇ ଦେଇଥିଲେ। ଏ ବାବଦକୁ ସଂଗ୍ରାମଙ୍କୁ ଦଶ ହଜାର ଟଙ୍କା ମିଳିଥିଲା ବୋଲି ସେ କହିଛନ୍ତି। ଏହାପରେ ସେହି ଦିନ ସନ୍ଧ୍ୟାରେ ସଂଗ୍ରାମ ଓ ସନବାରୀ ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଡେଙ୍ଗାଗୁଡାରେ ଥିବା ଶ୍ୱଶୁର ଘରକୁ ଆସିଥିଲେ। ସେଠାରେ ପୁଅ ପ୍ରଶାନ୍ତଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲେ। ତେବେ ଉଭୟଙ୍କ କଥାରେ ତାଳମେଳ ନ ଥିବା ଯୋଗୁଁ ଶ୍ୱଶୁର ଘର ଲୋକ ସନ୍ଦେହ କରିଥିଲେ। ସନବାରୀଙ୍କୁ ତାଙ୍କ ବଡଭାଇ ଶୁକୁରାମ ଲୋହରା ମାଡ ମାରିଥିଲେ। ଏହାପରେ ସନବାରୀ ସବୁ ସତକଥା କହିଥିଲେ। ଇତି ମଧ୍ୟରେ ସଂଗ୍ରାମ ସେଠାରୁ ଦୌଡି ପଳାଇ ଆସିଥିଲେ। ପରିବାର ଲୋକେ ତାଙ୍କୁ କାବୁ କରି ଘରେ ବାନ୍ଧି ଅଟକ ରଖିଥିବା ନେଇ ସନବାରୀଙ୍କ ମାମୁ ଅଜମ୍ବର ଲୋହରା କହିଛନ୍ତି । ଏହା ପରେ ସନବାରୀ ଉମରକୋଟ ଥାନାକୁ ଯାଇ ଅଭିଯୋଗ କରିଛନ୍ତି।