୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର ଏହି ସମ୍ବନ୍ଧୀୟ ସମସ୍ୟା ରହିଛି। ତେବେ କିଛି ପିଲାଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ, ଆଜିକାଲି ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ ଥିବା ପିଲାମାନଙ୍କ ଦାନ୍ତରେ ଜୀବାଣୁ ଜମିରହିବା ସହ ଧଳା ଦାଗ, ଦୁର୍ବଳ ମାଢ଼ି ଓ ଫୁଲିବା, ଗନ୍ଧ ଏବଂ ରକ୍ତ ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ। ଏଥିସହ ୩ଜଣଙ୍କ ମଧ୍ୟରୁ ୨ ପିଲାଙ୍କ ମଧ୍ୟରେ କେଭେଟିଜ୍‌ ସମସ୍ୟା ଦେଖାଦେବା ଓ ହେବାର ଅଧିକ ସମ୍ଭାବନା ରହିଥାଏ। ଆଉ ଏହା କେବଳ ମାତାପିତାଙ୍କ ସଚେତନତା ଅଭାବରୁ ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି। ଏବେ ଏନେଇ ସଚେତନ ହେବା ନିହାତି ଜରୁରୀ। ତେବେ ଛୋଟବେଳୁ ହଁି ପିଲାଙ୍କ ଦାନ୍ତର ଯତ୍ନ ନେବା ଜରୁରୀ ହୋଇଥାଏ। କାରଣ ଏହି ଦୁଗ୍ଧ ଦାନ୍ତ ଭବିଷ୍ୟତ ବିକାଶରେ ସହାୟକ ହୋଇଥାଏ। ତେଣୁ ସମୟ ମଧ୍ୟରେ ଏହାର ଉଚିତ ଯତ୍ନ ନ ନେଲେ ଦାନ୍ତ ସଂକ୍ରମଣ ସମସ୍ୟା ଦେଖାଦେବା ସହ ଅନେକ ରୋଗ ହେବାର ଆଶଙ୍କା ରହିଥାଏ। ତେବେ ସର୍ଭେ ସମୟରେ କେବଳ ପିଲାଙ୍କ କ୍ଷେତ୍ରରେ ନୁହେଁ ବରଂ ଏହି ସମସ୍ୟା ୧୦ଜଣଙ୍କ ମଧ୍ୟରୁ ୯ବୟସ୍କଙ୍କଠାରେ ମଧ୍ୟ ଦେଖିବାକୁ ମିଳିଛି। ସମଗ୍ର ଦେଶର ପିଲାଙ୍କ ଭିତରେ ଦେଖାଯାଉଥିବା ଏହି ସମସ୍ୟା ପୂର୍ବ ଭାରତରେ ୮୯ପ୍ରତିଶତ, ପଶ୍ଚିମ ଭାରତରେ ୮୮, ଉତ୍ତର ଭାରତରେ ୮୫ ଓ ଦକ୍ଷିଣ ଭାରତରେ ୬୪ ପ୍ରତିଶତ ରହିଛି। କାରଣ ଭାରତର ପ୍ରାୟ ମାତାପିତା ପିଲାଙ୍କ ଦାନ୍ତ ପରୀକ୍ଷାକୁ ଗୁରୁତ୍ୱ ଦେଇ ନ ଥାନ୍ତି। ଏଥିସହ ମୁଖ ସମ୍ବନ୍ଧୀୟ ବିଭିନ୍ନ ଉପଚାର ମଧ୍ୟ ପାଳନ କରି ନ ଥାନ୍ତି। ଯେପରିକି ପ୍ରତିଦିନ ୨ଥର ବ୍ରଶ କରିବା, ଠିକ୍‌ ସମୟ ଭିତରେ ଦାନ୍ତର ଯାଞ୍ଚ କରିବା ଇତ୍ୟାଦି। ତେବେ କାଣ୍ଟାର ଆଇଏମ୍‌ଆର୍‌ବି ଭାରତର ୧୨ଟି ସହରର ବିଭିନ୍ନ ସ୍ଥାନରୁ ୨୦୩୦ ବୟସ୍କ ଓ ୧୦୮୦ ଶିଶୁଙ୍କୁ ନେଇ ଏକ ସର୍ଭେ କରିଥିଲ। ଏହି ସର୍ଭେରେ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୋ, ମୁମ୍ବାଇ, ଅହମ୍ମଦାବାଦ, ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା, ପାଟନା ଓ ଭୁବନେଶ୍ୱର ସାମିଲ ହୋଇଥିଲା।

Share