Categories: ଜାତୀୟ

୧୦ ଯବାନଙ୍କୁ ମୁକ୍ତ କଲା ଚାଇନା

ନୂଆଦିଲ୍ଲୀ,୨୦ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତ ସୋମବାର ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଅଟକ ରଖିଥିବା ୧୦ ଭାରତୀୟ ଯବାନଙ୍କୁ ଶୁକ୍ରବାର ଛାଡ଼ିଦେଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ମେଜରଙ୍କ ସମେତ ୪ ଅଫିସର ଅଛନ୍ତି। ମେଜର ଜେନେରାଲଙ୍କ ନେତୃତ୍ୱରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଅଟକ ଯବାନମାନଙ୍କୁ ଚାଇନା ମୁକ୍ତ କରିଛି। ସେମାନେ ଭାରତୀୟ ପାର୍ଶ୍ୱକୁ ଫେରିଆସିଛନ୍ତି। କାର୍ଯ୍ୟାନୁଷ୍ଠାନ ବେଳେ କୌଣସି ଭାରତୀୟ ଯବାନ ନିଖୋଜ ହୋଇ ନ ଥିବା ସେନା ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଥିଲା। ସୋମବାର ସଂଘର୍ଷରେ ଆହତ ହୋଇଥିବା ୭୬ ଭାରତୀୟ ଯବାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସଂଘର୍ଷରେ ଅନେକ ଭାରତୀୟ ଯବାନ ନିଖୋଜ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଭାରତର କୌଣସି ଯବାନ ନିଖୋଜ ହୋଇ ନ ଥିବା ଗୁରୁବାର ସେନା ସ୍ପଷ୍ଟ କରିଥିଲା। ଶୁକ୍ରବାର ଚାଇନା ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିବା ପରେ ଭାରତୀୟ ସେନାର ସୂଚନା ଉପରେ ସନ୍ଦେହ ପ୍ରକାଶ ପାଇଛି। ଯଦି କେହି ନିଖୋଜ ହୋଇ ନ ଥିଲେ ତେବେ ୧୦ ଯବାନ ଆସିଲେ କେଉଁଠୁ ବୋଲି ପ୍ରଶ୍ନ ଉଠୁଛି। ସୋମବାର ସଂଘର୍ଷ ପରେ ବହୁ ଭାରତୀୟ ଯବାନ ନିଖୋଜ ହୋଇଛନ୍ତି କିମ୍ବା ସେମାନଙ୍କ ସମ୍ପର୍କରେ ହିସାବ ରଖାଯାଇନାହିଁ ବୋଲି କେତେକ ଭାରତୀୟ ଗଣମାଧ୍ୟମ ପ୍ରକାଶ କରିଥିଲେ। ସୀମାରୁ ଉତ୍ତେଜନା ହ୍ରାସ ଲାଗି ଗୁରୁବାର ଉଭୟ ପକ୍ଷର ମେଜର ଜେନେରାଲ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁଇ ସେନା ମଧ୍ୟରେ ମୁହାଁମୁହିଁ ପରେ ଏହା ସପ୍ତମ ବୈଠକ ହୋଇଥିଲା ବେଳେ ଗଲଓ୍ବାନ ଉପତ୍ୟକା ସଂଘର୍ଷ ପରେ ତୃତୀୟ ଆଲୋଚନା ଥିଲା। ପାଟ୍ରୋଲ ପଏଣ୍ଟ ୧୪ ନିକଟବର୍ତ୍ତୀ ସଂଘର୍ଷସ୍ଥଳଠାରେ ହୋଇଥିବା ଆଲୋଚନାରେ ଭାରତ ପକ୍ଷରୁ ୩ ଇନ୍‌ଫାଣ୍ଟ୍ରି ଡିଭିଜନ କମାଣ୍ଡର ମେଜର ଜେନେରାଲ ଅଭିଜିତ ବାପତ୍‌ ନେତୃତ୍ୱ ନେଇଥିଲେ। ୧୦ ଜଣଙ୍କୁ ଛଡ଼ାଯିବା ପରେ ଆଉ କୌଣସି ଭାରତୀୟ ଯବାନ ଅଟକ ନ ଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ସୀମାରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ପଡୋଶୀ ଆଲୋଚନା ଜାରି ରଖିଥିବା ସେ କହିଛନ୍ତି।

Share