୧୦ ଦିନରେ ଡିସ୍‌ଚାର୍ଜ ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୦।୫(ପି.ଟି.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରୋଗୀଙ୍କ ଡିସ୍‌ଚାର୍ଜ ନୀତିରେ ପରିବର୍ତ୍ତନ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ ଗୁରୁତର ଅସୁସ୍ଥ କିମ୍ବା ଅନ୍ୟାନ୍ୟ ରୋଗ ଥିବା କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ଡିସ୍‌ଚାର୍ଜ କରିବା ପୂର୍ବରୁ ସେମାନଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା ନେଗେଟିଭ୍‌ ଆସିବା ଜରୁରୀ। ସାଧାରଣ ତଥା ଲକ୍ଷଣ ନ ଥିବା କୋଭିଡ୍‌ ମାମଲାରେ ଡିସ୍‌ଚାର୍ଜ ପୂର୍ବରୁ ପରୀକ୍ଷାର ଆବଶ୍ୟକତା ନ ଥିବା ମନ୍ତ୍ରଣାଳୟ କହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚଳିଆସୁଥିବା ନିୟମ ଅନୁଯାୟୀ ଜଣେ ରୋଗୀ ୧୪ ଦିନରେ ନେଭେଟିଭ୍‌ ଏବଂ ଏହାର ୨୪ ଘଣ୍ଟା ପରେ ସମାନ ଫଳାଫଳ ଆସିଲେ ସେ ଡିସ୍‌ଚାର୍ଜ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଥିଲା। ଏବେ କେବଳ ଗୁରୁତର ଆକ୍ରାନ୍ତ ଏବଂ ଏଚ୍‌ଆଇଭି, ହୃଦ୍‌ରୋଗ, ଡାଇବେଟିସ୍‌ ଭଳି ଜଟିଳ ସମସ୍ୟା ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ ଡିସ୍‌ଚାର୍ଜ ପାଇଁ ପରୀକ୍ଷା ଫଳାଫଳ ନେଗେଟିଭ୍‌ ହେବା ଜରୁରୀ। ଯାହାଙ୍କଠାରେ ଜ୍ୱର ୩ ଦିନରେ ଛାଡ଼ିଯିବ ଏବଂ ବିନା ଅକ୍ସିଜେନ ସହାୟତାରେ ପରବର୍ତ୍ତୀ ୪ ଦିନ ସାଚୁରେଶନ ୯୫ ପ୍ରତିଶତ ରହିବ, ତାଙ୍କୁ ୧୦ ଦିନ ପରେ ଛାଡ଼ିଦିଆଯାଇପାରିବ। ସେମାନଙ୍କୁ ଛାଡ଼ିବା ପୂର୍ବରୁ ଆଉ କୋଭିଡ୍‌ ପରୀକ୍ଷା କରାଇବାକୁ ପଡ଼ିବନି। ସେହିପରି ଡିସ୍‌ଚାର୍ଜ ସମୟରେ ରୋଗୀଙ୍କୁ ଘରେ ଆଉ ୭ ଦିନ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦିଆଯିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ ହଜାର ଛୁଇଁଥିବାବେଳେ ୧୯୮୧ ଜଣଙ୍କର ମୃତ୍ୟୁ ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୦ ଜଣ ସଂକ୍ରମିତ ହୋଇଥିବାବେଳେ ୯୫ ଜଣଙ୍କ ଜୀବନ ଯାଇଛି।

Share