୧୦ ଜିଲାକୁ ବୁଡ଼ାଇବ ବର୍ଷା

ଭୁବନେଶ୍ୱର,୬-୯(ବ୍ୟୁରୋ):ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ଟି ଜିଲା ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁରରେ ଭୟଙ୍କର ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ରେଡ ଓ୍ବାର୍ନିଂ ଜାରି କରିଛି। କେତେକ ସ୍ଥାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ଭୂସ୍ଖଳନ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଓ ନୂଆପଡା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ସବୁ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ସତର୍କତା ସୂଚନା ଜାରି କରାଯାଇଛି। ସେହିପରି ମାଲକାନଗିରି, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ, ଜଗତ୍‌ସିଂହପୁର, କଟକ ଏବଂ କେନ୍ଦ୍ରାପଡା ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଛି। ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ରକୁ ନ ଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗୋପାଳପୁରରେ ସର୍ବାଧିକ ୧୦୮.୨ ମିଲିମିଟର ବର୍ଷା ହୋଇଥିବା ବେଳେ ପୁରୀ ୩୬,୪, ଚାନ୍ଦବାଲି ୧୦.୨, ଝାରସୁଗୁଡା ୨୮, ସମ୍ବଲପୁର ୧୩୭.୬, ସୁନ୍ଦରଗଡ ୧୯, କୋରାପୁଟ ୩୮, ଫୁଲବାଣୀ ୩୮ ଏବଂ ଟିଟିଲାଗଡରେ ସର୍ବାଧିକ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।