୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଯୁବକଙ୍କ ଜୀବନ ଗଲା

ବିଶୋଇ,୭ା୪(ଡି.ଏନ୍‌.ଏ.)- ବର୍ତ୍ତମାନ ଲକଡାଉନ ପରିସ୍ଥିତିରେ ଯାନବାହନ ଚଳାଚଳ ଉପରେ ସରକାର କଟକଣା କରିଥିବାବେଳେ ଆମ୍ବୁଲାନ୍ସ ଓ ଅନ୍ୟ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଯାନବାହନକୁ ୨୪ ଘଣ୍ଟା ସେବା ଯୋଗାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୟୂରଭଞ୍ଜ ଜିଲାର ବିଶୋଇ ଥାନା ଅନ୍ତର୍ଗତ ଭୋଳବେଡା ଗ୍ରାମରେ ଏହାର ବ୍ୟତିକ୍ରମ ପରିଲ୍ଲକ୍ଷିତ ହୋଇଛି। ସରକାରଙ୍କ ଦ୍ୱାରା ୨୪ ଘଣ୍ଟା ସେବା ଯୋଗାଉଥିବା ଆମ୍ବୁଲାନ୍ସ ନ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଥାଉ କି, ଭୋଳବେଡ଼ା ଗ୍ରାମର ମଝିକୋହ୍ଲ ସାହି ବାସିନ୍ଦା ସାମୁ ନାଏକ(୪୦) ରବିବାର ଅପରାହ୍ନରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ପ୍ରଥମେ ତାଙ୍କୁ ଔଷଧ ଦେବା ପରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। କିନ୍ତୁ ବିଳମ୍ବିତ ରାତିରେ ସେ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା। ଲକଡାଉନ କାରଣରୁ କୌଣସି ଘରୋଇ ଗାଡି ମଧ୍ୟ ପାଇ ମିଳି ନ ଥିଲା। ଶେଷରେ ସୋମବାର ସକାଳ ସାଢେ ୬ ଟାରେ ସାମୁଙ୍କର ମୃତ୍ୟୁ ଘଟିଥିଲା। ସାମୁଙ୍କ ପରିବାରରେ ସ୍ତ୍ରୀ, ୩ ଝିଅ ଓ ଗୋଟିଏ ପୁଅ ଥିବାବେଳେ ସେ ପୂର୍ବରୁ ରକ୍ତଚାପ ଜନିତ ରୋଗରେ ପୀଡିତ ଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି।