Categories: ଖେଳ

୧୦୬ ରନ୍‌ରେ ଅଲଆଉଟ୍‌ ବାଂଲାଦେଶ

କୋଲକାତା,୨୨।୧୧- ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତୀୟ ପେସର ବାଂଲାଦେଶ ବ୍ୟାଟିଂ ଲାଇନ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି। ସ୍ଥାନୀୟ ଇଡେନ ଗାର୍ଡେନଠାରେ ଅନୁଷ୍ଠିତ ଐତିହାସିକ ପିଙ୍କ୍‌ ବଲ ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ବାଂଲାଦେଶ ଉପରେ ଭାରି ପଡ଼ିଛି। ପ୍ରଥମ ଇନିଂସରେ ଦଳ ମାତ୍ର ୧୦୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। କେବଳ ୩ ଜଣ ଖେଳାଳି ଦୁଇ ଅଙ୍କ ସ୍କୋର ଛୁଇଁ ଥିବାବେଳେ ୪ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ। ଶାଦମାନ ଇସଲାମ ୨୯, ଲିଟନ ଦାସ ୨୪ ଓ ନିଇମ ହାସନ ୧୯ ରନ୍‌ କରିଥିଲେ। ଭାରତୀୟ ଅଭିଜ୍ଞ ପେସର ଈଶାନ୍ତ ଶର୍ମାଙ୍କ ଏକ ଘାତକ ବାଉନ୍ସରେ ଲିଟନ ଆହତ ହୋଇ ପ୍ୟାଭେଲିଅନ ଫେରି ଯାଇଥିଲେ। ତାଙ୍କ ବଦଳରେ ଅଲରାଉଣ୍ଡର ମେହିଦି ହାସନଙ୍କୁ ଦଳ ପକ୍ଷରୁ ଚୟନ କରିଥିଲା। ସେ ମାତ୍ର ୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଟିମ୍‌ ଇଣ୍ଡିଆ ପାଇଁ ଈଶାନ୍ତ ସର୍ବାଧିକ ୫ ଉଇକେଟ ନେଇଥିଲେ। ତାଙ୍କ ଭଳି ଉମେଶ ଯାଦବ ୩ ଓ ମହମ୍ମଦ ଶାମି ୨ ଉଇକେଟ ହାତେଇଥିଲେ। ସ୍ପିନରଙ୍କ ପାଇଁ ଜଣାଯାଉଥିବା ଭାରତୀୟ ଦଳ ଏହି ଇନିଂସରେ କେବଳ ଗୋଟିଏ ଓଭର ସ୍ପିନର ବ୍ୟବହାର କରିଥିଲା। ଉକ୍ତ ଓଭର ରବୀନ୍ଦ୍ର ଜାଡେଜା ପକାଇଥିଲେ।

Share