Categories: ବାଣିଜ୍ୟ

୧୦୦ ରୁଟ୍‌ରେ ଗଡିବ ୧୫୦ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୩୦-୧୨: ଦେଶର ୧୦୦ ରୁଟ୍‌ରେ ୧୫୦ ଘରୋଇ ଟ୍ରେନ ଗଡିବ। ଏଥି ଲାଗି ଆସନ୍ତା ମାସରେ ବିଡ୍‌ ଆହ୍ବାନ କରାଯିବ ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ରୁଟଗୁଡିକ ମଧ୍ୟରେ ଭୁବନେଶ୍ୱର ଏବଂ କଲିକତା ରୁଟ ମଧ୍ୟ ସାମିଲ ରହିଛି। ଚଳିତ ବର୍ଷ ଡିସେମ୍ବରରେ ଅର୍ଥ ମନ୍ତ୍ରଣାଳୟର ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ ଆପ୍ରାଇଜାଲ କମିଟି (ପିପିପିଏସି) ଏହି ପ୍ରସ୍ତାବକୁ ନୀତିଗତ ମଞ୍ଜୁରୀ ପ୍ରଦାନ କରିଛି। ରେଲଓ୍ବେରେ ସଂସ୍କାର ସହ ଘରୋଇ ଅପରେଟରଙ୍କୁ ପାସେଞ୍ଜର ଟ୍ରେନ ଚଳାଇବା ଲାଗି ଏହା ପଥ ପରିସ୍କାର କରିଛି। ସେହିଭଳି ଟ୍ରେନ ଚଳାଚଳ କ୍ଷେତ୍ରରେ ରେଲଓ୍ବେ ଏକଚାଟିଆ ନୀତି ଏହାଦ୍ୱାରା ହ୍ରାସ ହେଉଥିବା କୁହାଯାଇଛି। ବିଡିଂ ମଧ୍ୟରେ ରହିଥିବା ରୁଟ୍‌ଗୁଡିକ ମଧ୍ୟରେ ମୁମ୍ବାଇ-କୋଲକାତା, ମୁମ୍ବାଇ-ଚେନ୍ନାଇ, ମୁମ୍ବାଇ-ଗୌହାଟି, ନୂଆଦିଲ୍ଲୀ-ମୁମ୍ବାଇ, ଥିରୁଭାନନ୍ତପୁରମ- ଗୌହାଟି, ନୂଆଦିଲ୍ଲୀ-କୋଲକାତା, ନୂଆଦିଲ୍ଲୀ-ବାଙ୍ଗାଲୋର, ନୂଆଦିଲ୍ଲୀ-ଚେନ୍ନାଇ, କୋଲକାତା-ଚେନ୍ନାଇ ଏବଂ ଚେନ୍ନାଇ-ଯୋଧପୁର ରହିଛି।
ଅନ୍ୟ ପ୍ରମୁଖ ରୁଟ୍‌ଗୁଡିକ ମଧ୍ୟରେ ମୁମ୍ବାଇ-ବାରାଣସୀ, ମୁମ୍ବାଇ-ପୁଣେ, ମୁମ୍ବାଇ-ନାଗପୁର, ନାଗପୁର-ପୁଣେ, ସିକନ୍ଦରାବାଦ-ବିଶାଖାପାଟଣା, ପାଟଣା-ବାଙ୍ଗାଲୋର, ପୁଣେ-ପାଟଣା, ଚେନ୍ନାଇ-କୋଏମ୍ବାଟୁର, ଚେନ୍ନାଇ-ସିକନ୍ଦରାବାଦ, ସୁରତ-ବାରାଣସୀ, ଭୁବନେଶ୍ୱର-କଲିକତା ବାଦ ନୂଆଦିଲ୍ଲୀ-ପାଟଣା, ଆଲ୍ଲାହାବାଦ, ଅମୃତସର, କତ୍ରା, ଚଣ୍ଡୀଗଡ, ଗୋରଖପୁର, ଭାଗଲପୁର, ଛପ୍ରା ଭଳି ସ୍ଥାନ ଏହା ମଧ୍ୟରେ ସାମିଲ ରହିଛି। ରୁଟଗୁଡିକୁ ଚୟନ କରିବାରେ ବାଣିଜି୍ୟକ ସମ୍ଭାବନା ଏକ ପ୍ରମୁଖ ଦିଗ ବୋଲି ବିଚାର କରାଯାଉଛି। ୧୦୦ ରୁଟ୍‌ ମଧ୍ୟରେ ୩୫ ଦିଲ୍ଲୀକୁ ସଂଯୋଗ କରୁଥିବା ବେଳେ ୨୬ଟି ରୁଟ ମୁମ୍ବାଇ, ୧୨ କୋଲକାତା, ୧୧ ଚେନ୍ନାଇ ଏବଂ ୮ ବାଙ୍ଗାଲୋରକୁ ସଂଯୋଗ କରିବ। ଏହି ସବୁ ସହରଗୁଡିକ ମେଟ୍ରୋ ସହର। ଏହି ତାଲିକାରେ କେତେକ ଅଣମେଟ୍ରୋ ସହର ସାମିଲ ରହିଛି। ଉକ୍ତ ସହରଗୁଡିକ ମଧ୍ୟରେ ଗୋରଖପୁର-ଲକ୍ଷ୍ନୌ, କୋଟା-ଜୟପୁର,ଚଣ୍ଡୀଗଡ-ଲକ୍ଷ୍ନୌ, ବିଶାଖାପାଟଣା-ତିରୁପତି ଏବଂ ନାଗପୁର-ପୁନେ ଭଳି ସ୍ଥାନ ରହିଛି।

Share