Categories: ଖେଳ

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ ୫୨.୦୪ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଥିଲେ। ସ୍ବିଡେନର ସାରା ଜୋସ୍‌ଷ୍ଟର୍ମଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆର କେଟ୍‌ କ୍ୟାମ୍ପବେଲ୍‌ ରୌପ୍ୟ ଜିତିଥିଲେ। ଶୁକ୍ରବାର ଏହି ବିଜୟ ଦ୍ୱାରା ଏକାଧିକ ମହିଳା ୧୦୦ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ହାସଲ କରିବାରେ ମାନୁଏଲ୍‌ ଦ୍ୱିତୀୟ ମହିଳା ସନ୍ତରଣକାରୀ ବିବେଚିତ ହୋଇଛନ୍ତି। ପୂର୍ବ ଜର୍ମାନୀର କୋର୍ନେଲିଆ ଏଣ୍ଡର ୧୯୭୩ ଏବଂ ୧୯୭୫ରେ ଟାଇଟଲ ଜିତି ଏହି ସଫଳତା ହାସଲ କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପାଇଁ କାନାଡାର ପେନି ଓଲେସିଆକ୍‌ଙ୍କ ସହିତ ଟାଇ ରଖିଥିବା ମାନୁଏଲ କହିଛନ୍ତି, ଏହି ରେସ୍‌ରେ ଭାଗ ନେବା ପୂର୍ବରୁ ମୁଁ ଚାପରେ ରହିଥିଲି। ବିଜୟ ଲାଭ ପରେ ମୁଁ ବହୁତ୍‌ ଖୁସି ଅଛି।

Share