୧୦୦୦ଲିଟର  କ୍ଷୀରରେ ସ୍ନାନ କଲେ ଗୁଡ଼ ବଳଦେବଜୀଉ

ସୋର, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଗୁଡ଼ ଗ୍ରାମରେ ପ୍ରସିଦ୍ଧ ଗୁଡ଼ ବଳଦେବଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଲାଗି ସାମାଜିକ ଦୂରତ୍ୱକୁ ରକ୍ଷା କରାଯାଇ ସେବାୟତ ଓ ପରିଚାଳନା କମିଟି ଦ୍ୱାରା ଏହି ସ୍ନାନ ଉତ୍ସବ କରାଯାଇଥିଲା। ଜୀଉଙ୍କ ସମସ୍ତ ପୂଜାନୀତି ପରେ ପହଣ୍ଡି ବିଜେ କରାଯାଇ ମନ୍ଦିର ଭିତରେ ଏକ ଅସ୍ଥାୟୀ ମଣ୍ଡପରେ ଜୀଉଙ୍କୁ ଅଣାଯାଇଥିଲା। କେତେଜଣ ଭକ୍ତ ଓ ପରିଚାଳନା କମିଟି ତରଫରୁ ସଂଗୃହୀତ ପ୍ରାୟ ୧୦୦୦ଲିଟର  କ୍ଷୀରରେ ଜୀଉଙ୍କୁ ସ୍ନାନ କରାଯାଇଥିଲା। ସୋର ପୋଲିସ ଉପସ୍ଥିତିରେ ୧୪୪ ଧାରା ଜାରି କରାଯାଇଥିଲା। ସ୍ନାନମଣ୍ଡପରେ ଜୀଉଙ୍କୁ ସଜ୍ଜିତ କରାଯାଇ ପୂଜାନୀତି କରାଯାଇଥିଲା।
ସେହିପରି ସୋର ବ୍ଲକ ଅନନ୍ତପୁର କରସାହି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ଉତ୍ସବ ସମ୍ପନ୍ନ ହୋଇଯାଇଛି। ସେବାୟତ ଓ ପରିଚାଳନା କମିଟି ଦ୍ୱାରା କେବଳ ସ୍ନାନ ଉତ୍ସବ କରାଯାଇଥିଲା। ପହଣ୍ଡି ବିଜେ କରାଯାଇ ସ୍ନାନମଣ୍ଡପକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଅଣାଯାଇଥିଲା। ସେହିପରି ସୋରରେ ଦହିପୁର, ସିଙ୍ଗାଖୁଣ୍ଟା, ଶରଶଙ୍ଖ, ମାଣିପୁର, ଖଣ୍ଡାସାହି ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସାମାଜିକ ଦୂରତ୍ୱକୁ ରକ୍ଷା କରାଯାଇ ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ ହୋଇଛି।