୨୧ରେ ସିଏଏ ସପକ୍ଷରେ ରାଲି

କେନ୍ଦୁଝର,୬।୧(ସ୍ବ.ପ୍ର.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପରିପ୍ରେକ୍ଷୀରେ କେନ୍ଦୁଝର ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ପୂର୍ବତନ ଏମ୍‌ପି ଅନନ୍ତ ନାୟକ ଓ ସୁକେଶି ଓରାମ ଯୋଗ ଦେଇ ଦେଶରେ ସିଏଏକୁ ନେଇ ଚାଲିଥିବା ବିବାଦର ପ୍ରକୃତ ତଥ୍ୟ ଉପସ୍ଥାପନ କରି ବିଭ୍ରାଟ ସୃଷ୍ଟି କରୁଥିବା ନେତା ଓ ଦଳକୁ କଟୁ ସମାଲୋଚନା କରିଛନ୍ତି। ଠିକ୍‌ ସମୟରେ ବିଲ ଅଣାଯାଇଥିଲା। ସମସ୍ତଙ୍କ ସମର୍ଥନ ଥିଲା। ତେବେ ରାଜନୈତିକ ଫାଇଦା ପାଇଁ ବିରୋଧ କରାଯାଉଥିବା କହିଥିଲେ। ଏହି ଆଇନ ଉପରେ ସଚେତନତା ସୃଷ୍ଟି ପାଇଁ ଏକ ମାସ ବ୍ୟାପୀ ଜନଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି। ଜନସମ୍ପର୍କ ଅଭିଯାନ କରିବା ସହ ଲୋକଙ୍କ ପାଖକୁ ଯାଇ, ଶୋଭାଯାତ୍ରା, ପଞ୍ଚାୟତ, ୱାର୍ଡସ୍ତରରେ ସଚେତନ ସୃଷ୍ଟି କରାଯିବ। ଅପପ୍ରଚାର କରି ଏହାର ରାଜନୈତିକ ଫାଇଦା ଉଠାଇ କେନ୍ଦ୍ର ସରକାରଙ୍କୁ ବଦନାମ କରିବା ଓ ଆନ୍ଦୋଳନକୁ ତୀବ୍ର କରିବା କରିବା ପାଇଁ ବିରୋଧୀ ଦଳମାନେ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ଆସନ୍ତା ୨୧ ତାରିଖରେ ଜିଲା ମୁଖ୍ୟାଳୟରେ ସପକ୍ଷ ରାଲି ହେବ। ସେହିପରି ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ ବୋଲି ଜିଲା ସଭାପତି ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଦର୍‌ ଦାମ ନିୟନ୍ତ୍ରଣ, ଆତ୍ମ ନିଯୁକ୍ତି, କର୍ମ ନିଯୁକ୍ତି ଆଦି ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ସମାଧାନ କରାଯିବ ବୋଲି କହିଛନ୍ତି।