୧୦ବର୍ଷ ପରେ କାକଟପୁରକୁ ମନ୍ତ୍ରୀପଦ:ପ୍ରଥମ ଥର ବିଜୟୀ ହୋଇ ତୁଷାରକାନ୍ତି ହେଲେ ମନ୍ତ୍ରୀ, କର୍ମୀ ମନାଇଲେ ଉତ୍ସବ

କାକଟପୁର,୨୯।୫(ଡି.ଏନ୍‌.ଏ.): କାକଟପୁର ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ପ୍ରଥମ ଥର ଲାଗି ଇଂ ତୁଷାରକାନ୍ତି ବେହେରା ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନ ପୂର୍ବର ଘଟଣାକ୍ରମକୁ ଯଦି ଦେଖାଯାଏ, ତେବେ ଭାଜପା ପ୍ରଥମେ ତୁଷାରଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଜେଡି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ହେଲେ ଏକ ନାଟକୀୟ ମୋଡ଼ରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଓ ତାଙ୍କ ପୁଅ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧିନ କୁମାର ନାୟକ ଭାଜପା ପ୍ରାର୍ଥୀ ତୁଷାରଙ୍କୁ ମନାଇ ବିଜେଡିରେ ମିଶାଇଥିଲେ। ଏଥିଯୋଗୁ ତୁଷାର ଭାଜପା ଟିକେଟ ଫେରାଇବା ସହ ଦଳରୁ ଇସ୍ତଫା ଦେଇଥିଲେ। ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ନିର୍ବାଚନରେ ବିଜେଡି ପ୍ରାର୍ଥୀ ତୁଷାର ୪୫ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ। ଏପରିସ୍ଥଳେ ତୁଷାରକାନ୍ତିଙ୍କୁ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହେବାର ସୁଯୋଗ ପ୍ରଦାନ କରାଯାଇଥିବାରୁ ସମଗ୍ର କାକଟପୁର ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଆନନ୍ଦ ଖେଳିଯାଇଛି। ଦୀର୍ଘ ୧୦ ବର୍ଷ ପରେ କାକଟପୁର ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଥିବାରୁ ବିଜେଡି କର୍ମୀ ମହଲରେ ଉତ୍ସାହ ବୃଦ୍ଧିପାଇଛି। ତୁଷାର ଶପଥ ଗ୍ରହଣ କରିବା ପରେ କାକଟପୁର, ଅସ୍ତରଙ୍ଗ, କୋଣାର୍କ, ଗୋପ, ନୟାହାଟ, ବାଲିଦୋକାନ ଆଦି ଅଞ୍ଚଳରେ ଦଳୀୟ କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି।