ୟେସ୍‌ ବ୍ୟାଙ୍କରୁ ଫେରି ଆସିବ ମହାପ୍ରଭୁଙ୍କ ଜମା ଟଙ୍କା

ପୁରୀ ଅଫିସ,୧୮।୩: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ଗତ କିଛିଦିନ ଧରି ଯେଉଁ ବାଦବିବାଦ ଲାଗିରହିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଗୁରୁବାର ୟେସ୍‌ ବ୍ୟାଙ୍କରୁ ସମସ୍ତ ୫୪୫ କୋଟି ଟଙ୍କା ଉଠାଯାଇ ଏକ ଜାତୀୟକରଣ ବ୍ୟାଙ୍କରେ ଜମା କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଏହି ଟଙ୍କା ଇ-ଟ୍ରାନ୍ସଫର ମାଧ୍ୟମରେ ଉଠାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଜମା କରାଯିବାକୁ ନେଇ ଗତ କିଛିଦିନ ଧରି ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା। ଏହି ଘଟଣାକୁ ନେଇ ବିରେଧୀ ଦଳ ଶାସକ ଦଳକୁ ଘେରିଥିଲେ। ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଏତେ ଗୁଡିଏ ଟଙ୍କା କାହିଁକି ଜମା କରାଗଲା ତାହାର ତଦନ୍ତ ଲାଗି ସରକାର ଏକ ଗୃହ କମିଟି ମଧ୍ୟ ଗଠନ କରିଥିଲେ।