ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ରଖାଯିବାକୁ ବିରୋଧ:ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗୋବର ପାଣି, ଗଙ୍ଗା ଜଳ ଛିଞ୍ଚନ

ପୁରୀ ଅଫିସ,୯।୩: ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରଖାଯିବା ଘଟଣାକୁ ବିରୋଧ ଜାରି ରହିଛି। ବିଭିନ୍ନ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏ ନେଇ ଦାୟୀ କରି ବିକ୍ଷୋଭ କରୁଛନ୍ତି। ସୋମବାର ଶ୍ରୀଜଗନ୍ନାଥ ସେନା ଅଭିନବ ପ୍ରତିବାଦ କରିଛି। ସେନା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗୋବର ପାଣି, ଗଙ୍ଗା ଜଳ ଛିଞ୍ଚାଯାଇ ପବିତ୍ର କରାଯାଇଛି ବୋଲି ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। କାହା ସ୍ବାର୍ଥ ପାଇଁ ଜାତୀୟକରଣ ବ୍ୟାଙ୍କରୁ ଟଙ୍କା ଉଠାଯାଇ ଘରୋଇ ବ୍ୟାଙ୍କରେ ରଖାଯାଇଛି। ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେନା ଦାବି କରିଛି।