ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ଲାଗି ପ୍ରଚଣ୍ଡ ଶୀତର ଅନୁଭୂତ ଆରମ୍ଭ ହୋଇଛି। ଆସନ୍ତା ଦୁଇ ତିନି ଦିନ ଯାଏ ଶୀତ ଲହରି ସମଗ୍ର ରାଜ୍ୟକୁ ଥଇାଇବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏହି ସମୟରେ ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ ତଳକୁ ଖସିଯିବ। ଉତ୍ତର ପୂର୍ବ ଦିଗରୁ ଥଣ୍ଡା ବାୟୁ ପ୍ରବାହ ହେବ। ବିଶେଷକରି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ବାଲେଶ୍ୱର ଜିଲାରେ ପ୍ରବଳ ଶୀତ ଲହରି ଦେହମୁଣ୍ଡକୁ ଥରାଇ ଦେବ। ଅନ୍ୟାନ୍ୟ ଜିଲାରେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇବ। ଏଥିସହିତ କନ୍ଧମାଳ, ପୁରୀ, ଖୋର୍ଦ୍ଧା, ସୋନପୁର ଏବଂ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ଏବଂ ଉପକୂଳ ଜିଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଅନୁଗୋଳ ଜିଲାରେ ୨୮ ଓ ୨୯ ତାରିଖ ଦୁଇଦିନ ପ୍ରବଳ କୁହୁଡି ସୃଷ୍ଟି ହେବ। ୨୦୦ ମିଟର ପର୍ଯ୍ୟନ୍ତ ଖାଲି ଆଖିରେ ଦେଖାଯିବ ନାହିଁ। ଏହି ସମୟରେ ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ୨୮ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ସୋନପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ଶୀତ ଲହରିକୁ ଦୃଷ୍ଟିରେ ରଖି ସମସ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଣିଷ ଓ ଗୃହପାଳିତ ପ୍ରାଣୀମାନଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳରେ ଯେଉଁମାନଙ୍କର ବାସଗୃହ ନାହିଁ ସେମାନଙ୍କୁ ସ୍କୁଲ ଓ ଅନ୍ୟାନ୍ୟ ସରକାରୀ କୋଠାରେ ଆଶ୍ରୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସହରାଞ୍ଚଳରେ ପର୍ଯ୍ୟଟକ ଓ ନିରାଶ୍ରୟ ଲୋକମାନଙ୍କୁ ରାତ୍ରି ଆଶ୍ରୟ ସ୍ଥଳରେ ରଖିବାକୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୬.୮, ଗୋପାଳପୁରରେ ୨୦.୪, ପୁରୀରେ ୧୬.୬, ବାରିପଦାରେ ୧୫, ଝାରସୁଗୁଡ଼ାରେ ୧୭, କେନ୍ଦୁଝରରେ ୧୪, ସମ୍ବଲପୁରରେ ୧୭.୧, ସୁନ୍ଦରଗଡ଼ରେ ୧୦.୫, ହୀରାକୁଦରେ ୧୮.୩, ତାଳଚେରରେ ୧୮.୩, ଭବାନୀପାଟଣାରେ ୧୯, ବଲାଙ୍ଗୀରରେ ୧୮.୨, କୋରାପୁଟରେ ୧୫, ଫୁଲବାଣୀରେ ୧୫.୩, ଟିଟିଲାଗଡ଼ରେ ୧୫.୫, ମାଲକାନଗିରିରେ ୧୯.୨, ସୋନପୁରରେ ୧୫.୨, ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।