Categories: ଖେଳ

ୟୁରୋ ହକି ଲିଗ୍‌ରେ ଖେଳିବେ ବାଲ୍ମୀକି, ହରଜିତ୍‌

ନୂଆଦିଲ୍ଲୀ,୨୪।୭(ପିଟି)- ଭାରତୀୟ ହକି ଖେଳାଳି ଦେବିନ୍ଦର ବାଲ୍ମୀକି ଓ ହରଜିତ ସିଂଙ୍କ ସହ ଡଚ୍‌ କ୍ଲବ ଏଚ୍‌ଜିସି ୨୦୧୯-୨୦ ସିଜନ ଲାଗି ଚୁକ୍ତି କରିଛି। କ୍ଲବ ପକ୍ଷରୁ ଏମାନେ ଆଗାମୀ ୟୁରୋ ହକି ଲିଗ୍‌ ମ୍ୟାଚ୍‌ରେ ଖେଳିବେ। ଦୁଇ ମିଡ୍‌ଫିଲ୍ଡର ଏବେ ଜାତୀୟ ଦଳର ନିୟମିତ ସଦସ୍ୟ ନୁହନ୍ତି। ବାଲ୍ମୀକି ଓ ହରଜିତ ଅକ୍ଟୋବର ୪ ତାରିଖରେ ବାର୍ସିଲୋନାଠାରେ ଇଏଚ୍‌ଏଲ୍‌ରେ ପଦାର୍ପଣ କରିବେ। ୨୭ ବର୍ଷୀୟ ବାଲ୍ମୀକି ୨୦୧୬ ଅଲିମ୍ପିକ୍ସରେ ଖେଳିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ମୋଟ ୪୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେହିଭଳି ୨୩ ବର୍ଷୀୟ ହରଜିତ ଜୁନିୟର ଭାରତୀୟ ବିଶ୍ୱକପ୍‌ ଦଳର ଅଧିନାୟକ ଥିଲେ। ଜାତୀୟ ଦଳ ଲାଗି ସେ ୫୨ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ଏହି କ୍ଲବର କୋଚ୍‌ ଦାୟିତ୍ୱରେ ଅଛନ୍ତି ପୂର୍ବତନ ଭାରତୀୟ କୋଚ୍‌ ପଲ ଭାନ ଆସ। ୨୦୧୫ରେ ତାଙ୍କୁ ୩ ବର୍ଷ ଲାଗି ନିଯୁକ୍ତ କରାଯାଇଥିଲା। ହେଲେ ହକି ଇଣ୍ଡିଆ ମୁଖ୍ୟ ନରିନ୍ଦର ବାତ୍ରାଙ୍କ ସହ ଝଗଡ଼ା ଯୋଗୁ ତାଙ୍କୁ କିଛି ମାସ ମଧ୍ୟରେ ପଦତ୍ୟାଗ କରିବାକୁ ପଡ଼ିଥିଲା।

Share