ୟୁରୋପ ଯାଇ ନ ଥିବା କହିଲେ ପ୍ରଦୀପ୍ତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଘରୋଇ ୟେସ୍‌ ବ୍ୟାଙ୍କ୍‌ରେ ଜମା ରଖାଯାଇଛି। ୟେସ୍‌ ବ୍ୟାଙ୍କ୍‌ର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇସାରିଛି। ଏଥିରେ ଥିବା ଜମାରାଶି ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି। ଏହି ସ୍ପର୍ଶକାତର ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ବିତର୍କର ବିଷୟ ପାଲଟିଛି। ବିରୋଧୀମାନେ ବ୍ୟାଙ୍କ୍‌ ଅର୍ଥରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଉପଦେଷ୍ଟା ବିଜୟ ସାହୁ ୟୁରୋପ ଭ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ଏହି ଅଭିଯୋଗକୁ ଆଇଏଏସ୍‌ ଅଧିକାରୀ ପ୍ରଦୀପ୍ତ ଖଣ୍ଡନ କରିଛନ୍ତି। ପ୍ରଦୀପ୍ତ କହିଥିଲେ, ବିଧାନସଭାରେ ଏହି ବିଷୟ ଆଲୋଚିତ ହୋଇଥିବାରୁ କୌଣସି ମତଦେବା ଉଚିତ ନୁହେଁ। ହେଲେ ବିଭିନ୍ନ ଗଣମାଧ୍ୟମରେ ତାଙ୍କର ବିଦେଶ ଭ୍ରମଣ ଖବର ପ୍ରକାଶ ପାଇଛି। ବିଗତ ୪ ବର୍ଷ ହେବ ସେ ୟୁରୋପ ଯାଇ ନ ଥିବା ମହାପାତ୍ର କହିଛନ୍ତି। ଅପରପକ୍ଷରେ ବିଜୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।