Categories: ଜାତୀୟ

ୟୁପି ସରକାରଙ୍କ ଅଭିଯୋଗ: ହିଂସା ପଛରେ ପିଏଫ୍‌ଆଇ, ସିମି

ଲକ୍ଷ୍ନୌ,୨୩ା୧୨(ପି.ଟି.): ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ହିଂସାତ୍ମକ ଆନ୍ଦୋଳନ ପାଇଁ ରାଜ୍ୟ ସରକାର ବାହାର ଲୋକଙ୍କୁ ଦାୟୀ କରୁଥିବାବେଳେ ଏଥିରେ ମୁସଲମାନ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଏବଂ ଷ୍ଟୁଡେଣ୍ଟସ୍‌ ଇସ୍‌ଲାମିକ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ସମ୍ପୃକ୍ତ ଥିବା ରବିବାର କହିଛନ୍ତି। ହିଂସାରେ ସମ୍ପୃକ୍ତ ପଶ୍ଚିମବଙ୍ଗର ୬ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ପିଏଫ୍‌ଆଇ ଏବଂ ସିମି ସହ ସମ୍ପୃକ୍ତ ଥିବା ଜଣାପଡିଛି। ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଭେଟିବା ପାଇଁ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ଆସିଥିବାବେଳେ ସେମାନଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅଟକ ରଖାଯାଇଛି।
ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜ୍‌ନୋର ଜିଲାକୁ ଯାଇ ବିକ୍ଷୋଭ ହିଂସାରେ ପ୍ରାଣ ହରାଇଥିବା ୨ ଜଣଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଗତ ୩ ଦିନ ଧରି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭବେଳେ ହିଂସାକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ରବିବାର ରାଜ୍ୟ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ଅଞ୍ଚଳରେ କଟକଣା ଜାରି ରହିଥିବାବେଳେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି। ରବିବାର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଏକ ଖବରଦାତା ସମ୍ମିଳନୀ ଡାକି ଉତ୍ତରପ୍ରଦେଶ ହିଂସାରେ ବାହାର ଲୋକଙ୍କ ଭୂମିକା ଥିବା କହିଥିଲେ। ପଶ୍ଚିମବଙ୍ଗର ମାଲଦାରୁ ଆସିଥିବା ୬ ଜଣ ହିଂସାକାଣ୍ଡରେ ସାମିଲ ଥିଲେ। ସେମାନେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ସିମି ସମେତ ପିଏଫ୍‌ଆଇର ସଦସ୍ୟ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Share