ୟୁନାଇଟେଡ୍‌ ବ୍ୟାଙ୍କରୁ ଚୋରି ଉଦ୍ୟମ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ଶିଳ୍ପାଞ୍ଚଳରେ ଥିବା ୟୁନାଇଟେଡ ବ୍ୟାଙ୍କରୁ ରବିବାର ରାତିରେ ଏକ ବଡ ଧରଣର ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ମୁହଁରେ କଳା କପଡ଼ା ବାନ୍ଧି ବ୍ୟାଙ୍କର ଝରକା ତାଡ଼ିି ବ୍ରାଞ୍ଚ ମ୍ୟାନେଜରଙ୍କ ରୁମ୍‌ରେ ପଶିଥିଲେ। ସେଠାରେ କେତେକ ଫାଇଲପତ୍ର ଫିଙ୍ଗାଫିଙ୍ଗି କରି ଫେରାର ହୋଇଯାଇଥିଲେ। ତେବେ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ନା ଲୁଟ୍‌ ଉଦ୍ୟମରେ ବିଫଳ ହେବାରୁ ସେହି ସବୁ ଫାଇଲପତ୍ର ଫିଙ୍ଗାଫିଙ୍ଗି କରିଛନ୍ତି ତାହା ଜଣାପଡ଼ିନାହିଁ। ଏ ନେଇ ବ୍ୟାଙ୍କ ଶାଖା ପରିଚାଳକ ମଧୁସ୍ମିତା ରଣାଙ୍କ ଅଭିଯୋଗ କ୍ରମେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଗତ ଦିନରେ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଅନେକ ବ୍ୟାଙ୍କରୁ ଲୁଟ ହୋଇଥିବା ବେଳେ ଖୋଦ୍‌ ରାଜଧାନୀରେ ଏକ ବ୍ୟାଙ୍କରୁ ଲୁଟ ଉଦ୍ୟମ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ଉକ୍ତ ୟୁନାଇଟେଡ ବ୍ୟାଙ୍କରେ ସୋମବାର ପୂର୍ବାହ୍ନରେ କର୍ମଚାରୀ ପହଞ୍ଚତ୍ ମ୍ୟାନେଜରଙ୍କ ରୁମ୍‌ର ଝରକା ତଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। ସେମାନେ ଏ ନେଇ ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଶାଖା ପରିଚାଳକ ପହଞ୍ଚତ୍ ଅନୁଧ୍ୟାନ କରିବା ପରେ ଥାନାରେ ଏତଲା ଦେଇଥିଲେ। ପୋଲିସ ପହଞ୍ଚତ୍ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ବିଳମ୍ବିତ ରାତିରେ ୨ଜଣ ଯୁବକ ମୁହଁରେ କପଡ଼ା ବାନ୍ଧି ବ୍ୟାଙ୍କ ଭିତରକୁ ପଶିବାର ଦୃଶ୍ୟ ଏଥିରେ କଏଦ ହୋଇଥିଲା। ମ୍ୟାନେଜରଙ୍କ ରୁମ୍‌ ଝରକା ତାଡ଼ିି ଭିତରକୁ ପଶିବା ସହ ଲକର ଓ ଗୁରୁତ୍ୱପୂର୍ଣ୍ଣ ଚାବି ସମେତ ବିଭିନ୍ନ କାଗଜପତ୍ର ଖୋଜାଖୋଜି କରିଥିଲେ। କିଛି ସମୟ ପରେ ସେମାନେ ଚାଲିଯାଲିଥିଲେ। ଏ ନେଇ ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ କହିଛନ୍ତି, ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛୁ। ଅନ୍ଧାର ଯୋଗୁ ଦୁର୍ବୃତ୍ତଙ୍କ ମୁହଁ ଚିହ୍ନିବାରେ ସମସ୍ୟା ରହିଛି। ବ୍ୟାଙ୍କ ପରିଚାଳକଙ୍କୁ ସମସ୍ତ କାଗଜପତ୍ର ଠିକ ରହିଛି ନା କିଛି ଚୋରି ହୋଇଛି ଯାଞ୍ଚ କରିବା ପାଇଁ କୁହାଯାଇଥିଲା। ଯାଞ୍ଚ ପରେ କୌଣସି କାଗଜପତ୍ର ଚୋରି ହୋଇ ନ ଥିବା ପରିଚାଳକ ସ୍ପଷ୍ଟ କରିଛନ୍ତି। ଏହାସତ୍ତ୍ୱେ ସେହି ଦୁର୍ବୃତ୍ତମାନଙ୍କୁ ଧରିବା ନିମନ୍ତେ ପୋଲିସ ଉଦ୍ୟମ ଚଳାଇଛି।