ୟୁଜି, ପିଜି ପରୀକ୍ଷା ବାତିଲ ନେଇ ବିଜ୍ଞପ୍ତି: ଅଗଷ୍ଟ ଶେଷସୁଦ୍ଧା ବିକଳ୍ପ ମୂଲ୍ୟାୟନ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ)କୋଭିଡ୍‌-୧୯ ପରିସ୍ଥିତି ଲାଗି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜର ୟୁଜି ଓ ପିଜି ପରୀକ୍ଷାକୁ ବାତିଲ କରାଯାଇଛି। ୟୁଜି/ସ୍ନାତକର ୬ଷ୍ଠ ସେମିଷ୍ଟର ଓ ପିଜି/ସ୍ନାତକୋତ୍ତରର ଚୂଡ଼ାନ୍ତ ତଥା ଶେଷ ସେମିଷ୍ଟର ପରୀକ୍ଷା ବାତିଲ୍‌ ହୋଇଛି। କୌଣସି ବିଷୟର ଥିଓରି କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଗତ ୧୧ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସୁପାରିସ ଅନୁଯାୟୀ ବିକଳ୍ପ ମୂଲ୍ୟାୟନ ଜରିଆରେ ଶେଷବର୍ଷ ସେମିଷ୍ଟରଗୁଡ଼ିକର ମୂଲ୍ୟାୟନ କରିବେ। ଅଗଷ୍ଟ ଶେଷସୁଦ୍ଧା ଉଭୟ ୟୁଜି ଓ ପିଜିର ପରୀକ୍ଷାଫଳ ପ୍ରକାଶ କରିବେ। ଯେଉଁ ଛାତ୍ରୀଛାତ୍ର ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପାଇଥିବା ମାର୍କଠାରୁ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜଗୁଡ଼ିକ ଆସନ୍ତା ନଭେମ୍ବର ମଧ୍ୟରେ ସାଧାରଣ ରୀତିରେ ପରୀକ୍ଷା କରାଇବେ। ଏହି ପରୀକ୍ଷାର ମାର୍କ ଅନୁସାରେ ସେହି ଛାତ୍ରୀଛାତ୍ରଙ୍କ ପୁନଃ ପରୀକ୍ଷାଫଳ ଡିସେମ୍ବରରେ ପ୍ରକାଶ କରାଯିବ।
ଅନ୍ୟପକ୍ଷରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଫକୀର ମୋହନ ବିଶ୍ବବିଦ୍ୟାଳୟର ଡିଡିସିଇର ଶେଷବର୍ଷ ତଥା ଚୂଡ଼ାନ୍ତ ସେମିଷ୍ଟର ପରୀକ୍ଷା ମଧ୍ୟ ବାତିଲ୍‌ ହେବ। ଏହି ନିୟମ ସମସ୍ତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ତଥା ବି.ଏଡ୍‌ ଡିଗ୍ରି/୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌/୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏ ବିଏଡି/ବିଏସ୍‌ସି ବିଏଡ୍‌ ପାଠ୍ୟକ୍ରମ ସହ ସମସ୍ତ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଓ ପିପିପି ମୋଡ୍‌ରେ ଅନୁଷ୍ଠିତ ସେଲ୍ଫ ଫାଇନାନ୍ସିଂ କୋର୍ସଗୁଡ଼ିକରେ ଲାଗୁ ହେବ। ଉଚ୍ଚଶିକ୍ଷା ବିଭାଗ ବ୍ୟତୀତ ଅନ୍ୟାନ୍ୟ ବିଭାଗ ଦ୍ବାରା ପରିଚାଳିତ ପାଠ୍ୟକ୍ରମରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।