Categories: ଖେଳ

ୟୁକ୍ରେନ ପାଇଁ ଖେଳିଲେ ସ୍ବିଟେକ, ନାଡାଲ

ନ୍ୟୁୟର୍କ, ୨୬ା୮(ଏପି):ୟୁକ୍ରେନରେ ମାନବିକ ସହାୟତା ପାଇଁ ପାଣ୍ଠି ସହାୟତା ଉଦ୍ଦେଶ୍ୟରେ ୟୁଏସ୍‌ ଓପନ୍‌ ପୂର୍ବରୁ ଟେନିସ ଷ୍ଟାରମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଇଭେଣ୍ଟର ଆୟୋଜନ କରାଯାଇଥିଲା। ଏଥିରେ ଭାଗନେଇଥିବା ଖେଳାଳିମାନଙ୍କ ମଧ୍ୟରେ ରାଫାଲ ନାଡାଲ ଓ ଇଗା ସ୍ବିଟେକ ରହିଛନ୍ତି। କୋକୋ ଗଫ୍‌ ଏଥିରେ ଯେଉଁ ଜୋତା ବ୍ୟବହାର କରିଥିଲେ ସେଥିରେ ‘ପ୍ଲେ ଫର୍‌ ପିିସ୍‌’ ବାର୍ତ୍ତା ସ୍ଥାନ ପାଇଥିଲା। ଏହି ଇଭେଣ୍ଟରୁ ସଂଗୃହୀତ ୧ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ପାଣ୍ଠି ଏକ ଅନ୍ତର୍ଜାତୀୟ ଅଣଲାଭକାରୀ ସଂସ୍ଥାକୁ ଦିଆଯାଇଛି। ଏଥିରେ ଗଫ୍‌ ଓ ତାଙ୍କ ପାର୍ଟନର ଜନ୍‌ ମ୍ୟାକ୍‌ନୋର ମିକ୍ସଡ ଡବଲ୍ସ ନାଡାଲ ଓ ସ୍ବିଟେକ୍‌ଙ୍କ ବିପକ୍ଷରେ ଖେଳିଥିଲେ। ଲୁଇସ୍‌ ଆର୍ମଷ୍ଟ୍ରଙ୍ଗ ଷ୍ଟାଡିୟମରେ ‘ଟେନିସ ପ୍ଲେଜ୍‌ ଫର୍‌ ପିସ୍‌’ ପ୍ରଦର୍ଶନୀ ଟେନିସ ଇଭେଣ୍ଟର ଶତ ପ୍ରତିଶତ ଟିକେଟ ବିକ୍ରି ହୋଇଥିବା ୟୁଏସ୍‌ ଟେନିସ ଆସୋସିଏଶନ କହିଛି। ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଡାୟାନା ୟାସ୍ତ୍ରେମ୍‌ସ୍କା ଓ କାଟାରିନା ଜାଭାଟିସ୍କା, ୨୦୨୧ ୟୁଏସ୍‌ ଓପନ ଫିନାଲିଷ୍ଟ ଲିଲା ଫର୍ନାଣ୍ଡେଜ, କାର୍ଲୋସ ଆଲ୍‌କାରେଜ୍‌, ମାରିଆ ସାକାରି, ଷ୍ଟିଫାନସ ସିତ୍‌ସିପାସ୍‌ ଓ ଜେସିକା ପେଗୁଲା। ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଷ୍ଟାସି ଆଲାଷ୍ଟର ଇଭେଣ୍ଟରୁ ଟିକେଟ ବିକ୍ରି ବାଦରେ ଅତି କମ୍‌ରେ ୨ ନିୟୁତ ଡଲାର ଆୟ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏଥିରୁ ୧.୨ ନିୟୁତ ଡଲାର ମିଳିଥିଲା।

Share