ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ: ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

ବଡବିଲ, ୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲସ୍ଥିତ(ଏସ୍‌ଡିପିଓ) ସବ୍‌ଡିଭିଜନାଲ ପୋଲିସ ଅଫିସରଙ୍କ କାର୍ଯ୍ୟାଳୟ ନିକଟସ୍ଥ ୟୁକୋ ବ୍ୟାଙ୍କରୁ ରବିବାର ରାତିରେ ଦୁର୍ବୃତ୍ତମାନେ ଚୋରି ଉଦ୍ୟମକରି ବିଫଳ ହୋଇଛନ୍ତି।
ପ୍ରକାଶ ଯେ, ବ୍ୟାଙ୍କର ପଛପାଖ ଏକ ଝରକା ଗ୍ରିଲକୁ ଗ୍ୟାସ କଟର ସାହାଯ୍ୟରେ କାଟି ଦୁର୍ବୃତ୍ତମାନେ ଭିତରେ ପଶିଥିଲେ। ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମକୁ ଗ୍ୟାସ କଟର ସାହାଯ୍ୟରେ କାଟିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି। ସୋମବାର ବ୍ୟାଙ୍କ ଖୋଲାଯିବା ପରେ ବ୍ୟାଙ୍କ ଶାଖା ପରିଚାଳକ କ୍ଷୀରୋଦ କୁମାର ବିଶ୍ୱାଳ ଚୋରି ଉଦ୍ୟମ ହୋଇଥିବା ଜାଣିପାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୋଲିସ ଜିଲା ମୁଖ୍ୟାଳୟରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଘଟଣାସ୍ଥଳରୁ ୪ ଗ୍ୟାସ ସିଲିଣ୍ଡର, ୨ ଗ୍ୟାସ କଟର, ଓ ପାଇପ୍‌ ଜବତ ହୋଇଛି। ସିସିଟିଭି କ୍ୟାମେରରୁ ଅଭିଯୁକ୍ତ ଚିହ୍ନଟ ହେବାପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।