Categories: ଖେଳ

ୟୁଏସ୍‌ ଓପନ ମୁଖ୍ୟ ପର୍ଯ୍ୟାୟରେ ନାଗାଲ

ନ୍ୟୁୟର୍କ,୨୪।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ସ୍ବପ୍ନ ପୂରା କରିଛନ୍ତି। ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ସେ ଯୋଗ୍ୟତା ହାତେଇଛନ୍ତି। କ୍ୱାଲିଫାୟର୍ସର ଅନ୍ତିମ ରାଉଣ୍ଡରେ ନାଗାଲ ବ୍ରାଜିଲ ଜୋଆଓ ମେନେଜସଙ୍କୁ ହରାଇଛନ୍ତି। ମ୍ୟାଚ୍‌ରେ ପ୍ରଥମ ସେଟ୍‌ ୫-୭ ବ୍ୟବଧାନରେ ହାରିବା ପରେ ଦ୍ୱିତୀୟ ଓ ୩ୟ ସେଟ୍‌କୁ ୬-୪, ୬-୩ରେ ଜିତି ନେଇଛନ୍ତି। ଜିତିବା ପାଇଁ ତାଙ୍କୁ ୨ ଘଣ୍ଟା ୨୭ ମିନିଟ୍‌ ଲାଗିଥିଲା। ସେ ଦେଶର ୫ମ ସିଙ୍ଗଲ୍ସ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ଖେଳିବେ। ତାଙ୍କ ପୂର୍ବରୁ ସୋମଦେବ ବର୍ମନ, ୟୁକି ଭାମ୍ବ୍ରି, ସାକେତ ମାଇନେନି ଓ ପ୍ରଜନେଶ ଗୁଣେଶ୍ୱରନ ସମ୍ମାନଜନକ ଟୁର୍ନାମେଣ୍ଟରେ ଖେଳିସାରିଛନ୍ତି। ନାଗାଲ ପ୍ରଥମ ରାଉଣ୍ଡରେ କିମ୍ବଦନ୍ତୀ ରୋଜର ଫେଡରରଙ୍କୁ ଭେଟିବ। ସୁଇଜରଲାଣ୍ଡର ଖେଳାଳିଙ୍କ ନିକଟରେ ସର୍ବାଧିକ ୨୦ଟି ଟାଇଟଲ ରହିଛି। ନାଗାଲଙ୍କ ବ୍ୟତୀତ ପ୍ରଜନେଶ ମଧ୍ୟ ମୁଖ୍ୟ ପର୍ଯ୍ୟାୟରେ ଖେଳିବେ। ୧୯୯୮ ପରେ ପ୍ରଥମ ଥର ପାଇଁ ଭାରତର ଦୁଇ ଖେଳାଳି କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ସିଙ୍ଗଲ୍ସ ବର୍ଗରେ ଖେଳିବାକୁ ଯାଉଛନ୍ତି। ଅନ୍ତିମ ଥର ଭେଟେରାନ ଲିଆଣ୍ଡର ପେସ ଓ ମହେଶ ଭୂପତି ଓ୍ବିମ୍ବେଲଡନରେ ଖେଳିଥିଲେ। ପ୍ରଜନେଶ ପ୍ରଥମ ରାଉଣ୍ଡରେ ସିନସିନାଟି ମାଷ୍ଟର୍ସ ଚାମ୍ପିୟନ ତଥା ବିଶ୍ୱ ର଼୍ୟାଙ୍କିଙ୍ଗର ୫ମ ସ୍ଥାନରେ ଥିବା ଡାନିଏଲ ମେଡଭେଡେଭଙ୍କୁ ଭେଟିବେ।

Share