Categories: ଖେଳ

ୟାମାଗୁଚି ମହିଳା, ନିଶିମୋତୋ ପୁରୁଷ ଫାଇନାଲରେ

ବ୍ୟାଙ୍କକ୍‌, ୨୫ା୧ (ଏଏଫ୍‌ପି)-ଟପ୍‌ ସିଡ୍‌ ତଥା ବିଶ୍ୱର ନମ୍ବର ୩ ଖେଳାଳି ଜାପାନର ଆକାନେ ୟାମାଗୁଚି ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଏବଂ ତାଙ୍କ ଦେଶର କେଣ୍ଟା ନିଶିମୋତୋ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୟାମାଗୁଚି ସେମିଫାଇନାଲରେ ସ୍ପେନର କାରୋଲିନା ମାରିନ୍‌ଙ୍କୁ ୧୪-୨୧, ୨୩-୨୧, ୨୧-୧୮ରେ ହରାଇ ଦେଇଛନ୍ତି। ରବିବାର ଫାଇନାଲରେ ସେ କୋରିଆର ଆନ୍‌ ସି’ ୟଙ୍ଗ୍‌ଙ୍କୁ ଭେଟିବେ। ଅନ୍ୟପକ୍ଷରେ ନିଶିମୋତୋ ୨୧-୧୮, ୨୧-୧୩ରେ ସ୍ଥାନୀୟ ଫେଭରାଇଟ୍‌ ତଥା ଥାଇଲାଣ୍ଡର କୁନ୍‌ଲାଭଟ୍‌ ଭିଟିଡ୍‌ସରନ୍‌ଙ୍କୁ ପରାସ୍ତ କରିଛନ୍ତି। ରବିବାର ଫାଇନାଲରେ ସେ ତୃତୀୟ ସିଡ୍‌ ହଂକଂର ଆଙ୍ଗସ ଏନ୍‌ଜି କା ଲଙ୍ଗ୍‌ଙ୍କୁ ଭେଟିବେ, ଯିଏକି ଅନ୍ୟ ଏକ ସେମିଫାଇନାଲରେ ଚାଇନାର ଶି ୟୁ କ୍ୱିଙ୍କୁ ୨୧-୧୮, ୨୧-୧୯ରେ ହରାଇ ଦେଇଛନ୍ତି। ଥାଇଲାଣ୍ଡ ମାଷ୍ଟର୍ସ ହେଉଛି ଚଳିତ ମାସର ଦ୍ୱିତୀୟ ପ୍ରତିଯୋଗିତା। ଏଥିରେ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋତା ଭାଗ ନେଇ ନାହାନ୍ତି। ଜାପାନର ଏହି ସୁପରଷ୍ଟାର ଖେଳାଳି କୁଆଲାଲମ୍ପୁରରେ ଏକ କାର୍‌ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି। ଏଥିରେ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

Share