Categories: ଖେଳ

ହ୍ୟାଟ୍ରିକ ମ୍ୟାନ୍‌ ଚହରଙ୍କୁ୍‌ ପୂର୍ବତନ କ୍ରିକେଟରଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୧।୧୧- ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ଉଇକେଟ ହାସଲ କରିବା ପରେ ମିଡିୟମ ପେସର ଦୀପକ ଚହରଙ୍କୁ ପ୍ରଶଂସାର ସୁଅ ଛୁଟିଛି। ପୂର୍ବତନ କ୍ରିକେଟରମାନେ ମଧ୍ୟ ଚହରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ୩.୨ ଓଭର ବୋଲିଂର କରି ୭ ରନ ବ୍ୟୟ କରି ୬ ଉଇକେଟ ହାସଲ ଚହର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏହି କ୍ରମରେ ସେ ଟି୨୦ର ସଫଳତମ ବୋଲର ଭାବେ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ (୬/୮)ଙ୍କୁ ପଛରେ ପକାଇଛନ୍ତି। କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର, ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ, ହରଭଜନ ସିଂ, ମହମ୍ମଦ କୈଫ୍‌ ଚହରଙ୍କୁ ପ୍ରଶଂସା କରିଛନ୍ତି।
ଚହର ଅତ୍ୟନ୍ତ ଚତୁରତା ସହ ବୋଲିଂ କରି ଏଥିରେ ବିଭିଧତା ଆଣି ଠିକ୍‌ ସମୟରେ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅକ୍ତିଆର କରିଥିଲେ ଓ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ସଚିନ କହିଛନ୍ତି। ସେହିପରି ଟି୨୦ ବୋଲର ଭାବେ ଚହର ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ନୂଆ ବଲ୍‌ରେ ତାଙ୍କର ଉଇକେଟ ହାସଲ କରିବାର କ୍ଷମତା ରହିଛି। ମିଡଲ ଓ ଏଣ୍ଡ ଓଭରରେ ସେ ଭଲ ବୋଲିଂ କରିବାରେ ସଫଳ ହୋଇଛନ୍ତି। ତାଙ୍କ ବୋଲିଂରେ ବିବିଧତା ରହିଛି ବୋଲି ଲକ୍ଷ୍ମଣ କହିଛନ୍ତି। ହରଭଜନ ମଧ୍ୟ ତାଙ୍କର ଉଇକେଟ ହାସଲ କରିବାର କ୍ଷମତାକୁ ପ୍ରଶଂସା କରିଛନ୍ତି। ସେହିପରି ଓଦା ବଲ୍‌ରେ ହ୍ୟାଟ୍ରିକ ଅର୍ଜନ କରିବା କଷ୍ଟକର ବୋଲି ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କୌଫ କହିଛନ୍ତି। ଏହି ମ୍ୟାଚ୍‌ରେ ଭାରତ ୩୦ ରନରେ ବାଂଲାଦେଶକୁ ପରାସ୍ତ କରି ୨-୧ରେ ସିରିଜ ବିଜୟୀ ହୋଇଛି। ଏବେ ଭାରତ ଓ ବାଂଲାଦେଶ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‌ ଇନ୍ଦୋରରେ ୧୪ରୁ ୧୮ ତାରିଖ ମଧ୍ୟରେ ଖେଳାଯିବ। ସେହିପରି ଦ୍ୱିତୀୟ ଟେଷ୍ଟ କୋଲକାତାରେ ୨୨ ତାରିଖରୁ ଆରମ୍ଭ ହେବ ଓ ଏହା ଦିବାରାତ୍ର ଭିତ୍ତିକ ହେବ।

Share