ହୋସ୍‌ଲା-୨୦୧୯ର କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଜାତୀୟସ୍ତର ପ୍ରତିଯୋଗିତା ହୋସ୍‌ଲା-୨୦୧୯ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଚାମ୍ପିୟନ ହୋଇଥିବା ଓଡ଼ିଆ ପ୍ରତିଯୋଗୀମାନଙ୍କୁ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି।

ଦେଶର ବିଭିନ୍ନ ଶିଶୁ ଗୃହରେ ରହୁଥିବା ପିଲାମାନଙ୍କ ଜାତୀୟ ପ୍ରତିଯୋଗିତା ‘ହୋସ୍‌ଲା-୨୦୧୯’ରେ ଓଡ଼ିଆ ପ୍ରତିଯୋଗୀମାନେ ମୋଟ ୩୦ ପଦକ ଜିତି ଚାମ୍ପିୟନ ହୋଇଥିଲେ। ପଦକ ମଧ୍ୟରେ ୧୪ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ରହିଛି। ପ୍ରତିଯୋଗିତାରେ ଏକାଧିକ ପଦକ ଜିତିଥିବା ରଞ୍ଜିତା ପାତ୍ରଙ୍କୁ ୧ଲକ୍ଷ ୫୦ହଜାର ଟଙ୍କା, ନନ୍ଦିତା ନାୟକଙ୍କୁ ୧ ଲକ୍ଷ ୨୦ହଜାର ଟଙ୍କା, ଅର୍ଚ୍ଚିତା ଗୁପ୍ତାଙ୍କୁ ୯୫ହଜାର ଟଙ୍କା, ପ୍ରସାଦ ଗମାଙ୍ଗଙ୍କୁ ୮୫ହଜାର ଟଙ୍କା ଓ ବିରାମ ହେମ୍ବ୍ରମଙ୍କୁ ୭୫ହଜାର ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।