ହୋଲି ପାଳନ ବନ୍ଦ କଲା ସିଏପିଏଫ୍‌

ନୂଆଦିଲ୍ଲୀ,୭ା୩(ପି.ଟି.): କରୋନା ସଂକ୍ରମଣ ଭୟରେ ଆନୁଷ୍ଠାନିକ ଭାବେ ହୋଲି ନ ପାଳିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ନିଷ୍ପତ୍ତି ନେଇଛି। ଆଭ୍ୟନ୍ତରୀଣ ସୁରକ୍ଷା ଓ ସୀମା ସୁରକ୍ଷାରେ ମୁତୟନ ଥିବା ସିଆର୍‌ପିଏଫ୍‌ ଏବଂ ବିଏସ୍‌ଏଫ୍‌ ପକ୍ଷରୁ ସାମୂହିକ ରଙ୍ଗର ଉତ୍ସବ ନ ପାଳିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ସିଏପିଏଫ୍‌ ଅଧୀନରେ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସ୍‌ଏଫ୍‌, ଆଟିବିପି, ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଆଦି ସୁରକ୍ଷା ସଂଗଠନ ରହିଛି। ୨୦୧୮ରେ ଛତିଶଗଡ଼ର ସୁକ୍‌ମା ଜିଲାରେ ମାଓବାଦୀ ଆକ୍ରମଣରେ ୨୫ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଉକ୍ତ ବାହିନୀ ପକ୍ଷରୁ ହୋଲି ପାଳନ ବନ୍ଦ କରାଯାଇଥିଲା। ସେହିପରି ଗତବର୍ଷ ଫେବୃୟାରୀରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ପ୍ରତି ସମବେଦନା ସ୍ବରୂପ ଗତବର୍ଷ ସିଆର୍‌ପିଏଫ୍‌ ହୋଲି ପାଳି ନ ଥିଲା।

Share