ହୋଲିରେ ରାସାୟନିକ ରଙ୍ଗ ମାରାତ୍ମକ

ହୋଲି। ରଙ୍ଗର ପର୍ବ। ପରସ୍ପରକୁ ରଙ୍ଗ ଏବଂ ଫଗୁ ବୋଳି ଖୁସି ମନେଇବା ଅବସର। ଅନେକଙ୍କର ଅପେକ୍ଷା ଥାଏ ଏହି ପର୍ବକୁ। ସେଥିପାଇଁ ବଜାରରେ ହୋଲି ମେଲିଗଲାଣି ବିଭିନ୍ନ କିସମର ରଙ୍ଗର ପସରା। ଖାଲି ଆଖିରେ ସୁନ୍ଦର ଦେଖାଯାଉଥିବା ରଙ୍ଗ ମାରାତ୍ମକ ରାସାୟନିକ ଦ୍ରବ୍ୟରୁ ପ୍ରସ୍ତୁତ। କେତେକ ଲାଭଖୋର ବ୍ୟବସାୟୀ ଏହି ରଙ୍ଗ ଏବଂ ଫଗୁରେ ଇଞ୍ଜିନ ତେଲ ଏବଂ କାରଖାନାର ବର୍ଜ୍ୟ ତୈଳ ମିଶାଇଥାନ୍ତି। ଏଗୁଡିକ ଶରୀର ପ୍ରତି କ୍ଷତିକାରକ। ତେଣୁ ରଙ୍ଗ କିଣିବା ବେଳେ ସତର୍କ ରୁହନ୍ତୁ। ପ୍ରାକୃତିକ ରଙ୍ଗର ବ୍ୟବହାର ଅଧିକ ମାତ୍ରାରେ କରନ୍ତୁ।
ଜନହିତ ପାଇଁ ଧରିତ୍ରୀ ପକ୍ଷରୁ ଏପରି ରଙ୍ଗ ସମ୍ପର୍କରେ ସତର୍କ କରିଦିଆଯାଉଛି।

– ସବୁଜ ରଙ୍ଗରେ କପର ସଲ୍‌ଫେଟ୍‌ ମିଶିଥାଏ। ଏହା ଆଖି ରୋଗର କାରଣ ହେବା ସହ ମଣିଷକୁ ଅଣନିଃଶ୍ୱାସୀ କରିଦିଏ। ଏହି ରଙ୍ଗ ମଧ୍ୟ ଆଂଶିକ ଭାବେ ଅନ୍ଧ କରିଦେଇପାରେ।

– ରୁପେଲି ରଙ୍ଗରେ ଆଲୁମିନିୟମ୍‌ କ୍ରୋମାଇଟ୍‌ ରହିଛି। ଏଥିଯୋଗୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ। ହାଲୁକା ବାଇଗଣୀ ରଙ୍ଗରେ କ୍ରୋମିୟମ୍‌ବାଇଡାଇଡ୍‌ ମିଶିଥାଏ। ଏହି ରଙ୍ଗ ବ୍ୟବହାର କଲେ ଶ୍ୱାସରୋଗ ଏବଂ ଆଲର୍ଜି ସୃଷ୍ଟି ହୋଇଥାଏ। ନୀଳରଙ୍ଗରେ ଥିବା ପୁସିଆନ୍‌ ବ୍ଲୁ ରାସାୟନିକ ଯୋଗୁ ବିଭିନ୍ନ ପ୍ରକାର ଚର୍ମରୋଗ ହେବା ସମ୍ଭାବନା ଥାଏ।

– ଲାଲ ରଙ୍ଗରେ ମର୍କ୍ୟୁରି ସଲ୍‌ଫାଇଡ୍‌ ମିଶିଥାଏ। ସେଥିଯୋଗୁ ଚର୍ମ କର୍କଟ ସହ ମାନସିକ ଅବସାଦ, ପକ୍ଷାଘାତ ଏବଂ ଦୃଷ୍ଟିଦୋଷ ପରି ବିଭିନ୍ନ ରୋଗ ଦେଖାଦେଇଥାଏ। ଚକ୍‌ଚକ୍‌ କରୁଥିବା ରଙ୍ଗଗୁଡିକରେ ଗୁଣ୍ଡକାଚ ମିଶିଥାଏ। ଏହାଛଡା ତରଳ ରଙ୍ଗରେ ଥିବା ଆଲ୍‌କାଲାଇନ୍‌ ପଦାର୍ଥ ଶରୀର ପ୍ରତି ବହୁ କ୍ଷତିକାରକ।

– ରଙ୍ଗ ଛଡାଇବା ଲାଗି ଶରୀରକୁ ସାବୁନ କିମ୍ବା କିରୋସିନରେ ଧୁଅନ୍ତୁ ନାହିଁ।

– ହାଲ୍‌କା ସ୍କ୍ରିନ୍‌ କ୍ରିମ୍‌ ବ୍ୟବହାର କରି ଧୀରେ ଧୀରେ ରଙ୍ଗ ଲାଗିଥିବା ସ୍ଥାନକୁ ଘଷନ୍ତୁ।

– ରଙ୍ଗ ଖେଳରେ ମାତିବା ପୂର୍ବରୁ ଦେହରେ ସ୍କିନ୍‌ କ୍ରିମ୍‌, ନଡିଆତେଲ କିମ୍ବା ସନ୍‌ସ୍କିନ୍‌ ଲୋଶନ ବ୍ୟବହାର କରନ୍ତୁ।

– ଆଖିରେ ରଙ୍ଗ ଭର୍ତ୍ତି ବେଲୁନ୍‌ ମାଡ଼ ହେଲେ ସଙ୍ଗେ ସଙ୍ଗେ ଆଖିକୁ ପାଣିରେ ଧୋଇଦିଅନ୍ତୁ। ଏହାସତ୍ତ୍ୱେ ଆଖି ଜଳାପୋଡ଼ା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ।